ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ନିତେଶ ରାଣେ। ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ବିଜେପି ନେତା ନିତେଶ ରାଣେ ସୋମବାର ଏକ ପ୍ରେସ କନ୍ଫରେନ୍ସରେ କଂଗ୍ରେସ ନେତା ଓ ଲୋକସଭାର ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ “ପାକିସ୍ତାନୀ ଏଜେଣ୍ଟ” ବୋଲି କହିଥିଲେ। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ନିତେଶ ରାଣେ କହିଥିଲେ ଯେ, ପାକିସ୍ତାନର ମନୋଭାବକୁ ସମର୍ଥନ କରିବା ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଥା କହୁଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, “ପାକିସ୍ତାନରୁ ଯେଉଁ ସ୍କ୍ରିପ୍ଟ ଆସେ, ରାହୁଲ ଗାନ୍ଧୀ ସେହି କଥାକୁ ଏଠାରେ ପଢୁଛନ୍ତି।”
ବକ୍ରିଇଦ୍ ଓ ଗୋମାଂସ ପ୍ରସଙ୍ଗରେ କହିଲେ…
ବକ୍ରିଇଦ୍ ପର୍ବକୁ ଉଲ୍ଲେଖ କରି ରାଣେ କହିଥିଲେ ଯେ, କେତେକ ସ୍ଥାନରେ ବକରା ନାମରେ ଗୋମାଂସ ବିକ୍ରି ହେଉଥିବା ସହ ଗୋ-ତସକରି ମଧ୍ୟ ହେଉଛି। AIMIM ନେତା Waris Pathanଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ, “ବକ୍ରିଇଦ୍ ନାମରେ ଯଦି କେହି ଗୋମାତାଙ୍କୁ କ୍ଷତି କରିବାକୁ ଚେଷ୍ଟା କରିବେ, ସେମାନଙ୍କ ସ୍ଥାନ ସିଧା ଜେଲରେ ହେବ।”
ଶରିଆ କାନୁନ୍ ଓ ସରକାରୀ କଡା ପଦକ୍ଷେପ
ପ୍ରେସ କନ୍ଫରେନ୍ସରେ ରାଣେ କହିଥିଲେ ଯେ, ଦେବେନ୍ଦ୍ର ଫଡନାଭିସ୍ ସରକାର ଗୋମାଂସ ବିରୋଧରେ କଡା ଆଇନଗତ ପଦକ୍ଷେପ ନେଇଛି। ସେ କହିଥିଲେ, “କେହି ଯଦି ନିୟମ ଭଙ୍ଗ କରିବା କିମ୍ବା ଶରିଆ କାନୁନ୍ ଲାଗୁ କରିବାକୁ ଚେଷ୍ଟା କରିବେ, ସେମାନେ ଜେଲକୁ ଯିବେ।”
ସଡକରେ ନମାଜ ପଢିବା ପ୍ରସଙ୍ଗରେ ନିତେଶ ରାଣେ କହିଥିଲେ, “ରାସ୍ତା ଲୋକମାନଙ୍କ ଚଳାଚଳ ପାଇଁ ଅଟେ। ଯଦି ସଡକରେ ନମାଜ ପଢାଯାଏ, ତେବେ ମସଜିଦ ବନ୍ଦ କରିଦେବା ଉଚିତ।” ଏହାସହ ସେ ମଦରାସାକୁ ନେଇ ମଧ୍ୟ ବିବାଦିତ ମତ ଦେଇ କହିଥିଲେ ଯେ, କେତେକ ମଦରାସା ଆତଙ୍କବାଦର ଅଡ୍ଡା ହୋଇପାରେ।
