କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

by newsroom JUL-23-2025 2:32 PM IST in ବଡ଼ ଖବର

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଦେଇଛି । ବିଜେଡିକୁ ଏନେଇ ନିଷ୍ପତ୍ତି ନେବାକୁ କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି । ଏହାକୁ ନେଇ ରାଜ୍ୟ ରାଜନୀତି ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଛି।

ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍‌ ମିଟ୍‌ରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, “ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଆମେ ସମସ୍ତେ ଏହା ନେଇ ଲଜ୍ଜିତ, କିନ୍ତୁ ଦୁଃଖର ବିଷୟ ଯେ ରାଜ୍ୟ ସରକାର ଏ ନେଇ ଲଜ୍ଜିତ ନୁହନ୍ତି।” ସେ ଅଭିଯୋଗ କରିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ନୀରବ ଦ୍ରଷ୍ଟା ଭୂମିକାରେ ରହିଛନ୍ତି ଏବଂ ମହିଳା କମିଶନ ଗଠନ କରିବାରେ ବିଫଳ ହୋଇଛନ୍ତି। ଭକ୍ତ ଦାସ ଏହି ଘଟଣାରେ ନ୍ୟାୟ ପାଇଁ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ଦାବି କରିଛନ୍ତି।

ଭକ୍ତ ଦାସ ଆହୁରି କହିଛନ୍ତି, “ଯଦି ବିଜେଡି ନାରୀ ନ୍ୟାୟ ପାଇଁ ଆନ୍ତରିକତା ସହ ଲଢ଼ୁଛି, ତେବେ ସେମାନେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ, ଆମେ ତାହାକୁ ସମର୍ଥନ ଦେବୁ। ନଚେତ୍‌, ଆମେ ନିଜେ ଅନାସ୍ଥା ପ୍ରସ୍ତାବ ଆଣିବୁ ଏବଂ ବିଜେଡି ତାହାକୁ ସମର୍ଥନ ଦେଉ।”

ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଅନାସ୍ଥା ପ୍ରସ୍ତାବ ଘୋଷଣାକୁ ଜବାବ ଦେଇ ବିଜୁ ଜନତା ଦଳ (ବିଜେଡି) ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ। ସେ ସ୍ପଷ୍ଟ କରିଛନ୍ତି, “ବିଧାନସଭାର ଅଧିବେଶନ ନୋଟିଫିକେସନ ହେବା ପରେ ବିଧାୟକ ଦଳର ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”

ମିଶ୍ର ଆହୁରି କହିଛନ୍ତି, “ବିଜେଡି ସର୍ବଦା ମହିଳାମାନଙ୍କ ପାଇଁ ଲଢ଼ିଆସିଛି ଏବଂ ନାରୀ ନିର୍ଯାତନାକୁ ସବୁବେଳେ ନିନ୍ଦା କରିଛି। ବାଲେଶ୍ବର ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଆମେ ଏହାର ନ୍ୟାୟିକ ତଦନ୍ତ ଦାବି କରୁଛୁ।”