2009 ମସିହା । ଏହି ବର୍ଷ ରିଲିଜ ହୋଇଥିଲା ଫିଲ୍ମ ଥ୍ରି ଇଡିଅଟ । ଅମୀର ଖାନ୍ ଅଭିନୀତ ଏହି ଫିଲ୍ମରେ ରାଜକୁମାର ହିରାନୀ ଥିଲେ ନିର୍ଦେଶକ । ଏହି କାହାଣୀଟି ଥିଲା ଗଧ ଭଳି ମନେ ହେଉଥିବା ଗୋଟିଏ ଉଚ୍ଚ ମେଧାବୀ ଆଉ ଗୁଣ ସଂପର୍ଣ୍ଣ ପିଲାର କାହାଣୀ । ଘୋଷା ପାଠ ପଢ଼ି ଚିରାଚରିତ ଢ଼ଙ୍ଗରେ ପରୀକ୍ଷା ଦେଇ ଚାକିରି କରି ଜୀବନ ଜିଇଁବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କ ପାଇଁ ଏହି ଫିଲ୍ମରେ ଅନେକ ବାର୍ତ୍ତା ରହିଛି । ଅସଲରେ ଥ୍ରି ଇଡିୟଟର ମୁଖ୍ୟ ଚରିତ୍ରଟି ହେଉଛନ୍ତି ସୋନମ ଓ୍ବାଙ୍ଗଚୁକ୍ । 59 ବର୍ଷର ସୋନମ ଏବେ ଜାତୀୟ ସୁରକ୍ଷା ଆଇନ ବା ଏନଏସଏରେ ଗିରଫ ହୋଇଛନ୍ତି । ଲଦାଖରେ 4 ଜଣଙ୍କ ଜୀବନ ଗଲାପରେ, ପ୍ରାୟ 70 ଜଣ ଆହତ ହେଲାପରେ ଭାରତ ସରକାର ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି ।
ଫିଲ୍ମରେ ଯାହା ଦେଖାଯାଇଛି ବାସ୍ତବରେ ନିଜ ଜୀବନରେ ସେୟା କରି ଦେଖାଇଛନ୍ତି ସୋନମ ଓ୍ବାଙ୍ଗଚୁଙ୍କ । ଫିଲ୍ମ ଥ୍ରି ଇଡିୟଟର ମୁଖ୍ୟ ଚରୀତ୍ର ରାଞ୍ଚୋ କିଭଳି ନିଜ ଜୀବନରେ ଆସୁଥିବା ସଂକଟ ଗୁଡ଼ିକୁ ବୁଦ୍ଧିମତା ବଳରେ ସାମନା କରୁଥିଲା । ବହି ଘୋଷି ପାଠ ପଢ଼ୁଥିବା ଛାତ୍ରଙ୍କଠାରୁ ରାଞ୍ଚୋ କିପରି ଅଲଗା ଥିଲା । ବାସ୍ତବିକ ଜୀବନରେ କାର ବ୍ୟାଟୋରୀକୁ ବ୍ୟବହାର କରି ପାଓ୍ବାର ସପ୍ଲାଏ ଜରିଆରେ କିଭଳି ଗୋଟିଏ ଛୁଆ ଜନ୍ମ କରାଯାଇପାରିଲା ତାହା ଏହି ଫିଲ୍ମରେ ରହିଛି । ପ୍ରଫେସରମାନଙ୍କୁ ବହି ଘୋଷା ପାଠକୁ ନେଇ ପ୍ରଶ୍ନ କରିବା ଆଉ ସାଂଙ୍ଗ ସାଥିମାନଙ୍କୁ ବାସ୍ତବିକ ଜୀବନକୁ ନେଇ ପ୍ରୋଜେକ୍ଟ କରିବାକୁ ଫିଲ୍ମରେ ଯେଉଁ ପରାମର୍ଶ ଥିଲା , ସୋନମ ତାହା ତାଙ୍କ ନିଜ ଜୀବନରେ କରିଛନ୍ତି । ଭ୍ୟାକୁମ କ୍ଲିନର ଆଉ କାର ପାର୍ଟକୁ ନେଇ ଛୁଆ ଜନ୍ମ କରିବାର ଅଦଭୂତ କୈାଶଳ ଫିଲ୍ମ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ଫିଲ୍ମର କାହାଣୀ ଭଳି ଏକ ସ୍କୁଲ ତିଆର କରିଛନ୍ତି ଲଦାଖରେ ସୋନମ । ଏହି ସ୍କୁଲର କାମ ହେଉଛି ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ସେମାନେ ଜାଣିଥିବା କୈାଶଳକୁ ନୂଆ ଢ଼ଙ୍ଗରେ ଶିଖାଇବା ଏବଂ ପ୍ରାକ୍ଟିକାଲ ଟ୍ରେନିଂ ଦେବା । ଲଦାଖର ପ୍ରବଳ ଥଣ୍ଡା ଭିତରେ ସୋଲାର ପାଓ୍ବାରରେ କିଭଳି ଶକ୍ତି ମିଳିପାରିବ । ବରଫ ସ୍ତୂପ ମାଧ୍ୟମରେ କିଭଳି ପାଣିକୁ ସଂରକ୍ଷଣ କରାଯାଇପାରିବ । ଯାହାର ପ୍ରୋଜେକ୍ଟ ସେ ଲଦାଖର ବିଭିନ୍ନ ଅଂଚଳରେ କରିଛନ୍ତି । ଭାରତୀୟ ସେନା ପାଇଁ ଶୀତତାପ ନିୟନ୍ତ୍ରିତ କ୍ୟାମ୍ପ ନିର୍ମାଣ କରିଛନ୍ତି । ଯାହା ଥଣ୍ଡାଠାରୁ ଦୂରେଇ ରଖିବାରେ ସହାୟକ ହେଉଛି ।
ସୋନମ ୱାଙ୍ଗଚୁକ ଉଦ୍ଭାବକ, ଶିକ୍ଷା ସଂସ୍କାରକ, ପରିବେଶବିତ୍ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା। ଲଦାଖର ଭୟଙ୍କର ଥଣ୍ଡା ଜଳବାୟୁ ଉପରେ ସେ ବର୍ଷ ବର୍ଷ ଧରି ଗବେଷଣା କରୁଛନ୍ତି । ଲଦାଖରେ ସୋଲାର ଚାଳିତ ବାସସ୍ଥାନର ଉନ୍ନତି , ଶିକ୍ଷାରେ ଗବେଷଣା ଏବଂ ପରିବେଶ ସଂରକ୍ଷଣ ପାଇଁ ଅନେକ କାର୍ଯ୍ୟ କରି ପ୍ରଶଂସା ପାଇଛନ୍ତି ସୋନମ ।
ଲଦାଖର ହିମାଳୟ ପର୍ବତ ଅଂଚଳରେ ପିଲାଦିନରୁ ବଢ଼ିଛନ୍ତି ସୋନମ । ଯେଉଁଠାରେ ତାଙ୍କ ଜୀବନ ହାଡ଼ଭଙ୍ଗା ଶୀତରେ କଟିଛି । ଜଳ ଅଭାବ ଏବଂ ଖାଦ୍ୟ ଅଭାବ ସହ ଅନେକ ସମସ୍ୟା ଭିତରେ ତାଙ୍କ ସମୟ ବିତିଛି । ଲଦାଖରେ ସେ ତିନି ଦଶନ୍ଧି ଧରି ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ କାମ କରୁଛନ୍ତି । ତାଙ୍କର ଆନ୍ଦୋଳନକୁ ସ୍ଥାନୀୟ ଜେନ-ଜେଡ୍ ଯୁବ ଗୋଷ୍ଠୀ ସମର୍ଥନ କରୁଛନ୍ତି । ତାଙ୍କ ପଛରେ ଯୁବ ସମାଜ ଠିଆ ହେଉଛନ୍ତି । ସ୍ଥାନୀୟ ଅଂଚଳରେ ଶିକ୍ଷାର ବିକାଶ ଏବଂ ପରିବେଶ ସ୍ଥିରତାକୁ ନେଇ ସେ କରୁଥିବା ଆନ୍ଦୋଳନ ଏବେ ସାରା ଦେଶରେ ଆଲୋଚନା ହେଉଛି ।
ସେ ଜଣେ ସଫଳ ୟୁଟ୍ୟୁବର । ତାଙ୍କର ୟୁଟ୍ୟୁବରେ ୧.୧୮ ମିଲିୟନରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଅନେକ ସମୟରେ ସେ ଲଦାଖର ସ୍ବାର୍ଥ ପାଇଁ କହୁଥିବାରୁ ତାଙ୍କୁ ଟ୍ରୋଲ ହେବାକୁ ପଡୁଛି । ତାଙ୍କ ଏନଜିଓ ହିମାଳୟ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଛି । ଯାହାର ନେତୃତ୍ବ ସେ ନିଜେ ନେଉଛନ୍ତି । ସୋନମଙ୍କର ଏନଜିଓ ଲଦାଖର -୩୦° ସେଲସିୟସରେ କିପରି ବଂଚିବାକୁ ହେବ ତାହା ଉପରେ ଗବେଷଣା କରୁଛି ।
୧୯୮୮ରେ ସୋନମ ଗଢ଼ିଥିବା ସ୍କୁଡେଣ୍ଟସ୍ ଏଜୁକେସନାଲ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ ଲଦାଖ ଆଜି ଘରେ ଘରେ ପରିଚିତ । ଏହି ସଂଗଠନ ଅଧାରୁ ପାଠ ଛାଡୁଥିବା ୯୦%ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରୋଜଗାର କ୍ଷମ ଶିକ୍ଷା ପ୍ରଦାନ କରୁଛି । ତାଙ୍କ ସ୍କୁଲ କ୍ୟାମ୍ପସ ଏଭଳି ଡିଜାଇନ ହୋଇଛି । ଯେତେବେଳେ କି -୧୫°ସେଲସିୟସକୁ 15 ଡିଗ୍ରୀ ସେଲସିୟସରେ ପରିଣତ କରିପାରୁଛି ।
2013ରେ ସେ ଗଢ଼ିଥିବା ବରଫ ସ୍ତୂପକୁ ନେଇ ବହୁତ ଚର୍ଚା ହୋଇଥିଲା । ପାର୍ବତ୍ୟ ଅଚଂଳରେ ଜଳ ଅଭାବ ଦୂର କରିବା ପାଇଁ ସେ ଶୀତକାଳୀନ ଜଳକୁ 15 ରୁ 50 ମିଟର ଉଚ୍ଚା ବରଫ ସ୍ତୂପ କରି ସଂରକ୍ଷଣ କରି ରଖୁଥିଲେ । ଗ୍ରୀଷ୍ମ ରୁତୁରେ ଏହି ଜଳ କୃଷି ପାଇଁ ବ୍ୟବହାର କରାଯାଇପାରୁଥିଲା । ଯେଉଁଠି ଆମେ ବର୍ଷାଜଳକୁ ସଂରକ୍ଷଣ କରିପାରୁନାହୁଁ, ତାହା ସମୁଦ୍ରକୁ ଚାଲିଯାଉଛି । ଲଦାଖରେ ବରଫକୁ କିନ୍ତୁ ସେମାନେ ସଂରକ୍ଷଣ କରିବା ଶିଖିଛନ୍ତି । ଦରକାର ବେଳେ ତାହା କାମରେ ଲାଗୁଛି । ତାଙ୍କର ଉଚ୍ଚ ବରଫ ସ୍ତୂପ ମଡେଲକୁ ସ୍ଵିଜରଲ୍ୟାଣ୍ଡ ଓ ଚିଲି ଭଳି ଦେଶ ଅନୁକରଣ କରୁଛନ୍ତି । ଏହି ଉଦ୍ଭାବନୀ ପଦ୍ଧତି ପାଇଁ ସେ ବିଶ୍ୱବ୍ୟାପୀ ପ୍ରଶଂସା ପାଇଛନ୍ତି ।
ନିଜ ମେକାନିକାଲ ଇଂଜିନିୟରିଂ ପାଠକୁ ନେଇ ସେ ଚାକିରି କରିନାହାଁନ୍ତି । ଲଦାଖର 3 ଲକ୍ଷ ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି କିଭଳି ହୋଇପାରିବ ସେଥିପାଇଁ ସେ ଲଗାତାର କାମ କରି ଆସୁଛନ୍ତି । ଏବେ ତାଙ୍କର ଦାବି ଥିଲା ଲଦାଖକୁ ଏକ ରାଜ୍ୟର ମାନ୍ୟତା ଦିଆଯାଉ । ଏହା ଏବେ କେନ୍ଦ୍ରଶାସିତ ଅଂଚଳ ହୋଇ ରହିଛି । ଦ୍ବିତୀୟ ଦାବିଟି ହେଉଛି ଲଦାଖକୁ ସିଡ୍ୟୁଲ 6ରେ ରଖାଯାଉ । ଏହାର ଅର୍ଥ ହେଉଛି ଆଦିବାସୀମାନଙ୍କର ସ୍ବତନ୍ତ୍ରତା, ସଂସ୍କୃତିର ସୁରକ୍ଷା କରାଯାଉ । ଲଦାଖର ଜମିକୁ କର୍ପୋରେଟ ହାତରେ ଦିଆନଯାଉ । ଏହି ଦାବି ସେତିକିବେଳେ ତୀବ୍ର ହେଲା ଯେତେବେଳେ ସୋନମ ଓ୍ବାଙ୍ଗଚୁକ ଜେନ-ଜେଡ୍ ସ୍ବର ବନିଗଲେ । ଅଭିଯୋଗ ହେଉଛି ନେପାଳ-ବାଂଲାଦେଶର ଆନ୍ଦୋଳନ କଥା କହି ସେ ପିଲାମାନଙ୍କୁ ଟିହାଇଲେ । କିଶୋର-କିଶୋରୀମାନେ ରାସ୍ତାକୁ ଆସିଲେ , ହିଂସାକାଣ୍ଡ ହେଲା ଆଉ 4 ଜଣଙ୍କର ମୃତ୍ୟୁ ହେଲା ।
ଏବେ ତାଙ୍କ ବିରୋଧରେ ସଂଗୀତ ଅଭିଯୋଗ ସବୁ ଆସୁଛି । ବେଆଇନ ବିଦେଶୀ ପାଣ୍ଠି ଆଣିବା, ନିୟମ ଉଲଂଘନ କରିବା ଇତ୍ୟାଦି ଇତ୍ୟାଦି । ଲଦାଖରୁ ତାଙ୍କୁ ଯୋଧପୁର ପଠାଇଦିଆଯାଇଛି । କିନ୍ତୁ ସୋନମଙ୍କର ଗିରଫଦାରୀ ପରେ ଲଦାଖରେ ଶାନ୍ତି ଫେରିବ କି ? ଆନ୍ଦୋଳନ ବନ୍ଦ ହୋଇଯିବ କି ? କୁହାଯାଉଛି ସୋନମ ହେଉଛନ୍ତି ଚାଇନା ଏଜେଣ୍ଟ । ଏହାକୁ ଲଦାଖର ସାଧାରଣ ଲୋକ ବୁଝିବେ କି ? ନା ଏଇଆ ବୁଝିବେ , ଦିଲ୍ଲୀ ଲଦାଖ ଉପରେ ଆକ୍ରମଣ କରୁଛି । ଲଦାଖର ସ୍ବର ଚାପି ଦେଉଛି । ହିମାଳୟର ପାଦ ଦେଶ , ଯେଉଁଠି ସାଧୁମାନେ ଧ୍ୟାନମଗ୍ନ ଥାଆନ୍ତି ବୋଲି ପୁରାଣରେ କୁହାଯାଇଛି । ସେହି ଶାନ୍ତି ପରିବେଶରେ ଏବେ ଅଶାନ୍ତର ଲହଡ଼ି ଖେଳୁଛି । ଆଉ ଏକ ବିଦ୍ରୋହ ଭିତରେ ଭିତରେ ଦାନା ବାନ୍ଧୁଛି ।
ସୋନମ ଓ୍ବାଙ୍ଗଚୁକ୍ ଜଣେ ବ୍ୟକ୍ତି ହୋଇନାହାଁନ୍ତି ସେ ଏକ ଦର୍ଶନ ବା ଚିନ୍ତାଧାରରେ ପରିଣତ ହୋଇଛନ୍ତି । ବ୍ୟକ୍ତିକୁ ଗିରଫ କରାଯାଇପାରେ । କିନ୍ତୁ ଗୋଟିଏ ଆଇଡୋଲୋଜି ବା ଚିନ୍ତାଧାରାକୁ ବନ୍ଦ କରିବା ଏତେ ସହଜ ନୁହଁ ।