ବିମାନରେ ଜରୁରୀକାଳୀନ ଦ୍ୱାର ଖୋଲି ୪୮ ବର୍ଷୀୟ ଯାତ୍ରୀ ଗିରଫ

by newsroom NOV-27-2025 3:56 PM IST in ଦେଶ ବିଦେଶ

ଆଟଲାଣ୍ଟା : ଆମେରିକାର ଆଟଲାଣ୍ଟା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବିମାନ ଉଡିବା ପୂର୍ବରୁ ଖୋଲିଗଲା ଜରୁରୀକାଳୀନ ଦ୍ବାର । ଯାତ୍ରୀମାନେ ଭୟରେ ଥରିଲେ । ଆଗକୁ କଣ ହେବ କେହି ଭାବିପାରିନଥିଲେ ।  ଜୋହାନ୍ସ ଭାନ୍   ନାମକ ୪୮ ବର୍ଷୀୟ ଜଣେ ଯାତ୍ରୀ ଜରୁରୀକାଳୀନ ଦ୍ୱାର ଖୋଲି ଏୟାରକ୍ରାଫ୍ଟରୁ ବାହାରିବା ପାଇଁ ଥିବା ସ୍ଲାଇଡ୍‌କୁ ଖସାଇ ଦେବା ପରେ ତାଙ୍କୁ ଗିରଫ କରାଯାଇଛି ।  ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଆମଷ୍ଟରଡାମ୍ ଅଭିମୁଖେ ଯାଉଥିବା ବିମାନଟି ଉଡ଼ାଣ ପୂର୍ବରୁ ଟ୍ୟାକ୍ସିଂ କରୁଥିଲା। ଫଳରେ ବିମାନଟିକୁ ପୁଣି ଥରେ ଗେଟ୍‌କୁ ଫେରିବାକୁ ବାଧ୍ୟ କରାଯାଇଥିଲା ବୋଲି ଆଟଲାଣ୍ଟା ପୁଲିସ କହିଛି।

ଆଟଲାଣ୍ଟା ପୁଲିସ କହିଛି ଯେ, “ଭାନ୍ ହିରଟୁମ୍ କହିଥିଲେ ଯେ ସେ ଅନ୍ୟ ଜଣେ ଯାତ୍ରୀଙ୍କୁ ଅସ୍ତ୍ରଶସ୍ତ୍ର ସହିତ ଦେଖିଲେ ଏବଂ ଭୟଭୀତ ହୋଇଗଲେ। ଫଳରେ ସେ ଜରୁରୀକାଳୀନ ଦ୍ୱାର ଖୋଲି ଟ୍ୟାକ୍ସିଂ କରୁଥିବା ସମୟରେ ଫୁଲି ଯାଉଥିବା ସ୍ଲାଇଡ୍‌କୁ ଖସାଇ ଦେଇଥିଲେ।” ତେବେ, ସୁରକ୍ଷା ଯାଞ୍ଚ ପରେ ସ୍ପଷ୍ଟ ହୋଇଛି ଯେ ବିମାନରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। କର୍ତ୍ତୃପକ୍ଷ ବିଶ୍ୱାସ କରୁଛନ୍ତି ଯେ ଭାନ୍ ହିରଟୁମ୍ ଜାଣିଶୁଣି ଏପରି କରିଥିଲେ । ପୋଲିସ ଅଧିକାରୀମାନେ ତୁରନ୍ତ ବିମାନରେ ପ୍ରବେଶ କରି ଭାନ୍ ହିରଟୁମ୍‌ଙ୍କୁ ହେପାଜତକୁ ନେଇଥିଲେ। ତାଙ୍କୁ ବେପରୁଆ ଆଚରଣ ଅଭିଯୋଗରେ ଗିରଫ କରାଯାଇଛି।  ଏୟାରଲାଇନ୍ସ ଅବଶିଷ୍ଟ ଯାତ୍ରୀମାନଙ୍କୁ ପରବର୍ତ୍ତୀ ବିମାନରେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।