ଦେଶବାସୀଙ୍କୁ ପୁଣି ଏକ ବଡ଼ ଝଟକା, ସପ୍ତାହ ଭିତରେ ଦ୍ୱିତୀୟ ଥର ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର

by newsroom MAY-19-2026 3:52 AM IST in ଦେଶ ବିଦେଶ

ଦେଶବାସୀଙ୍କୁ ପୁଣି ଏକ ବଡ଼ ଝଟକା । ସପ୍ତାହ ଭିତରେ ସାଧାରଣ ଜନତାଙ୍କୁ ଲାଗିଛି ଦ୍ୱିତୀୟ ଝଟକା । ମାତ୍ର ୫ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଥର, ଯେବେ ତୈଳ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ ସଂଶୋଧନ କରି ଏହାକୁ ମହଙ୍ଗା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୮୬ ପଇସା ଏବଂ ଡିଜେଲ ଲିଟର ପିଛା ୮୩ ପଇସା ବୃଦ୍ଧି ପାଇଛି।

ଦିନକୁ ଦିନ ବଢୁଥିବା ଦରଦାମ୍ ଭିତରେ ଏହି ତୈଳ ଦର ବୃଦ୍ଧି ସାଧାରଣ ମଧ୍ୟବିତ୍ତ ପରିବାର ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଗତ ଶୁକ୍ରବାର ଦିନ ତୈଳ ଦରରେ ଲିଟର ପିଛା ୩ ଟଙ୍କାର ବଡ଼ ଧରଣର ବୃଦ୍ଧି କରାଯାଇଥିଲା। ଆଉ ଏବେ ସପ୍ତାହେ ନ ପୂରୁଣୁ ମଙ୍ଗଳବାର ଦିନ ପୁଣି ପ୍ରାୟ ୯୦ ପଇସା ପାଖାପାଖି ଦର ବୃଦ୍ଧି କରାଯିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ ପାଲଟିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦରରେ ୮୭ ପଇସା ଏବଂ ଡିଜେଲରେ ୯୧ ପଇସା ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୭୭ ଟଙ୍କାରୁ ବଢି ୯୮.୬୪ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୯୦.୬୭ ଟଙ୍କାରୁ ବଢି ୯୧.୫୮ ଟଙ୍କା ହୋଇଛି।

ଅନ୍ୟପଟେ କେରଳ ଭଳି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ୮୩ ପଇସା ମହଙ୍ଗା ହୋଇଛି। ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର ୯୧ ପଇସା ବଢିଥିବା ବେଳେ ଏହା ଏବେ ୧୦୭.୫୯ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ସବୁଠାରୁ ଅଧିକ ଦର ବୃଦ୍ଧି ଦେଖିବାକୁ ମିଳିଛି, ଯେଉଁଠି ପେଟ୍ରୋଲ ୯୬ ପଇସା ବଢି ୧୦୯.୭୦ ଟଙ୍କା ଛୁଇଁଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ ୮୨ ପଇସା ଓ ଡିଜେଲ ୮୬ ପଇସା ବ୍ୟୟବହୁଳ ହୋଇଛି।

ରାଜନୈତିକ ଏବଂ ଅର୍ଥନୈତିକ ସମୀକ୍ଷକଙ୍କ ମତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଅସ୍ଥିରତା କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରଭାବିତ ହେଉଛି। ଯାହାର ସିଧାସଳଖ ପ୍ରଭାବ ଭାରତୀୟ ଖାଉଟିଙ୍କ ଉପରେ ପଡ଼ୁଛି। ତେବେ ସରକାର ଏହି ଦର ବୃଦ୍ଧି ଉପରେ କିପରି ନିୟନ୍ତ୍ରଣ ଆଣିବେ, ତାହା ଉପରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତୈଳ ଦର ବଢିଲେ କେବଳ ଗାଡ଼ି ମାଲିକ ପ୍ରଭାବିତ ହୁଅନ୍ତି ନାହିଁ, ବରଂ ଏହାର ପ୍ରଭାବ ପୂରା ଅର୍ଥନୀତି ଉପରେ ପଡ଼ିଥାଏ। ଡିଜେଲ ଦର ବଢିବା ଯୋଗୁଁ ଟ୍ରକ୍ ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବ। ଏହାର ସିଧାସଳଖ ପରିଣାମ ସ୍ୱରୂପ ଖୁବ୍ ଶୀଘ୍ର ବଜାରରେ ପନିପରିବା, ଖାଦ୍ୟଶସ୍ୟ ଏବଂ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବାର ପୂର୍ଣ୍ଣ ଆଶଙ୍କା ରହିଛି।

ନିର୍ବାଚନ ଶେଷ ହେବା ପରେ ଲଗାତାର ଭାବେ ହେଉଥିବା ଏହି ଦର ବୃଦ୍ଧି ଏବେ ବିରୋଧୀ ଦଳଗୁଡ଼ିକୁ ସରକାରଙ୍କ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ଅସ୍ତ୍ର ଯୋଗାଇ ଦେଇଛି। ଜନତାଙ୍କ ପ୍ରଶ୍ନ ହେଉଛି, ଯଦି ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଅଛି, ତେବେ ସରକାର ନିଜ ଟିକସ କମାଇ ସାଧାରଣ ଲୋକଙ୍କୁ କାହିଁକି ଆଶ୍ୱସ୍ତି ଦେଉନାହାନ୍ତି? ବର୍ତ୍ତମାନ ସ୍ଥିତି ଯାହା, ଲାଗୁଛି ଆଗାମୀ ଦିନରେ ଜନତାଙ୍କ ପାଇଁ ଏହି ମହଙ୍ଗା ନିଆଁ ଆହୁରି ତୀବ୍ର ହେବ।