ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

by newsroom DEC-10-2025 11:45 AM IST in ବଡ଼ ଖବର

ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଦଳୀୟ ସଙ୍ଗଠନ ଅସ୍ଥିର ହୋଇପଡ଼ିଛି। ଗତ ନିର୍ବାଚନରେ କଂଗ୍ରେସ ନେତା ଅଶୋକ ଦାସ ବିଧାୟକ ହେବା ପରେ ଏଠାରେ ରାଉତରାୟ ପରିବାରର ଦବଦବା କମିବା ସହ ବିଜେଡିର ବିପର୍ଯ୍ୟୟ ଆରମ୍ଭ ହୋଇଛି। ନିକଟରେ ବିଜେଡିର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି। ପୂର୍ବରୁ ଯୁବ ନେତା ବାଣୀକଲ୍ୟାଣ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ତୃଣମୂଳ ସ୍ତରର କର୍ମୀମାନେ ବିଜେପି ମୁହାଁ ହେଉଥିବାରୁ ତିନି ପିଢିର କ୍ଷମତା ଭୋଗ କରିଥିବା ରାଉତରାୟ ପରିବାର ,ବିଷ୍ଣୁବ୍ରତ ରାଉତରାୟ ଏବେ ଚିନ୍ତାରେ।

ଅସ୍ଥିର ସଙ୍ଗଠନକୁ ସ୍ଥିରତା ଆଣିବା ଏବଂ ନଗେନ୍ଦ୍ର ବିଶ୍ୱାଳଙ୍କୁ ଅଧିକ ନେତାଙ୍କୁ ହାତେଇବାରୁ ରୋକିବା ପାଇଁ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ  ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଦଳର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ପୁରୁଖା ନେତୃବୃନ୍ଦଙ୍କୁ ଡକାଇ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି।

ଶ୍ରୀ ରାଉତରାୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ କହିଛନ୍ତି ଯେ କେହି ବିଚଳିତ ହୁଅନ୍ତୁ ନାହିଁ; ସଙ୍ଗଠିତ ହୋଇ ରହିବା ସହ ଲୋକଙ୍କ ସମସ୍ୟା ସହିତ ଜଡିତ ହୋଇ ବିରୋଧୀ ଦଳର ଭୂମିକା ନିଭାଇବା। ତେବେ, ବହୁ ନେତା ଏବେ ବି ବିଜେଡି ଛାଡ଼ି ବିଜେପିରେ ମିଶିବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଜିତୁ ତାଙ୍କ ଗଡ଼ ରକ୍ଷା କରିବାରେ ସଫଳ ହେବେ କି ନାହିଁ, ତାହା ସମୟ କହିବ।