ନୂଆପଡ଼ାରେ ଜୋରଦାର କ୍ୟାମ୍ପେନିଂ: ଆସନ୍ତାକାଲି ସଂଧ୍ୟାରେ ସରୁଛି ପ୍ରଚାର

by newsroom NOV-08-2025 11:24 AM IST in ବଡ଼ ଖବର

ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଭୋଟ୍ ଗ୍ରହଣ ପାଇଁ ମାତ୍ର ଦୁଇ ଦିନ (ଆଜି ଓ କାଲି) ବାକି ଥିବାରୁ, ସମସ୍ତ ପ୍ରମୁଖ ଦଳ ଏବଂ ପ୍ରାର୍ଥୀମାନେ ଲୋକଙ୍କ ସମର୍ଥନ ହାସଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି।

ନୂଆପଡା ଉପ-ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ନିର୍ଦେଶାବଳୀ ଜାରି କରିଛନ୍ତି। ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବ ଅବଧି, ଯାହାକୁ ସାଧାରଣତଃ ନୀରବ ଅବଧି ବୋଲି କୁହାଯାଇଥାଏ, ସେହି ନୀରବ ଅବଧି ନେଇ ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ(ଭା.ପ୍ର.ସେ) ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଦେଇଛନ୍ତି। ଆସନ୍ତା ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଭୋଟରମାନେ ନୂଆପଡ଼ା ଛାଡ଼ନ୍ତୁ ବୋଲି ଗୋପାଳନ କହିଛନ୍ତି। ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ସମ୍ପର୍କିତ କୌଣସି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ସମସ୍ତ ରାଜନୈତିକ ଦଳକୁ ଅପିଲ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ ସାହୁ ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀପ୍ରସାଦ ସାହୁଙ୍କ ଉପସ୍ଥିତ ଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକଙ୍କୁ ସବିଶେଷ ସୂଚନା ଦେଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ନୀରବ ଅବଧି ସମ୍ପର୍କିତ ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ଦେବା ସହ ସାମ୍ବାଦିକମାନଙ୍କର ନୂଆପଡା ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ। ତାଙ୍କ ରୋଡ୍‌ ସୋ’ ପରେ ଦଳୀୟ କର୍ମୀଙ୍କ ମନୋବଳ ଦୃଢ଼ ହୋଇଛି। କଂଗ୍ରେସ, ବିଜେଡି ଏବଂ ବିଜେପି ପକ୍ଷରୁ ବର୍ତ୍ତମାନ ପାଟ ପଟୁଆର ସହ ସଭା ସମିତି ଏବଂ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନାନା ପ୍ରତିଶୃତି ଦିଆଯାଉଛି। ପ୍ରଚାର ଶେଷ ହେବାର ଦିନକ ପରେ, ଅର୍ଥାତ୍ ଆସନ୍ତା ମଙ୍ଗଳବାର, ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।