ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଁଚିଲା ଛେଳିଛୁଆ, ଏମିତି କହିଲେ ଜିଲ୍ଲାପାଳ

by newsroom OCT-14-2025 1:34 PM IST in ରାଜ୍ୟ

ଘର ଉପରେ ଯାଇଛି ବିଦ୍ୟୁତ୍ ତାର । ଛାତ ଉପର ଦେଇ ୧୧କେଭି ତାର ଯାଇଥିବାରୁ ଜୀବନ ପ୍ରତି ବିପଦ ରହିଛି । କିନ୍ତୁ ଏହି ବିପଦ ଦେଖିପାରୁନାହାଁନ୍ତି ବିଦ୍ୟୁତ୍ କାର୍ଯ୍ୟାଳୟର ଅଧିକାରୀ । ଯାହା ଫଳରେ ଦିନେ ଛାତ ଉପରକୁ ଯାଇଥିବା 4ଟି ଛେଳି ଛୁଆ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ । ଏଭଳି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଛେଳି ଧରି ପହଁଚିଥିଲେ ଛେଳି ମାଲିକ ବିଷ୍ଣୁଚରଣ ବେହେରା । ବିଷ୍ଣୁଙ୍କ କଥା ଶୁଣି ଏସଡିଓଙ୍କୁ ଫଟକାର ଲଗାଇଥିଲେ ଜିଲ୍ଲାପାଳ ।

ଅଭିଯୋଗ ଅନୁସାରେ ନିଆଳି ବ୍ଲକ୍‌ରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ମାଲିକ ସହ ଅଭିଯୋଗ କରିବାକୁ ପହଞ୍ଚିଥିଲା ଛେଳିଛୁଆ । କିଛି ଦିନ ତଳେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବାରୁ ୪ଟି ଛେଳି ମରିଯିବା ପରେ ଏବେ ଛେଳିଛୁଆଟି ଏକୁଟିଆ ହୋଇଯାଇଛି। ଏପରିକି ବିଦ୍ୟୁତ୍‌ ଆଘାତ ଲାଗି ଏହି ଛେଳିଛୁଆଟିର ଗୋଡ଼ ଭାଙ୍ଗିଯାଇଛି। ତେଣୁ ଛେଳିର ମାଲିକ ନିଆଳି ଅଠାନ୍ତରର ବିଷ୍ଣୁଚରଣ ‌ବେହେରା  ଏହାକୁ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚିଥିଲେ। ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ଅଧିକାରୀ ଓ ଅନ୍ୟ ଅଭିଯୋଗକାରୀ ଚକିତ ହୋଇଯାଇଥିଲେ।

ବିଷ୍ଣୁଙ୍କ କହିବା କଥା ବିଷ୍ଣୁଚରଣଙ୍କ ଛାତ ଉପର ଦେଇ ୧୧କେଭି ତାର ଯାଇଛି। ଛାତଠୁ ମାତ୍ର ୨ଫୁଟ ଉପରେ ତାର ଯାଇଥିବାରୁ ଘର ଲୋକେ ଛାତ ଉପରକୁ ଯିବାକୁ ଭୟ କରୁଛନ୍ତି। ୩ମାସ ତଳେ ଛେଳିମାନେ ଛାତ ଉପରକୁ ଚାଲିଯିବାରୁ ବିଦ୍ୟୁତ୍‌ ଆଘାତ ଲାଗି ୪ଟି ମରିଯାଇଥିଲା ବେଳେ ଗୋଟିଏ ଛେଳି ଛୁଆ ତଳକୁ ଛିଟ୍‌କି ପଡ଼ିବାରୁ ଗୋଡ଼ ଭାଙ୍ଗିଯାଇଥିଲା। ସେବେଠାରୁ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ପଛେ ତାର ଉଚ୍ଚା କରିବାକୁ କିମ୍ବା ହଟାଇବାକୁ କୌଣସି ବ୍ୟବସ୍ଥା କରାଯାଉନଥିବା ବିଷ୍ଣୁ ଅଭିଯୋଗ କରିଛନ୍ତି।

ଉପସ୍ଥିତ ଏସ୍‌ଡିଓଙ୍କୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲା ବେଳେ ତାଗିଦ୍‌ ମଧ୍ୟ କରିଛନ୍ତି। ‘ଛେଳି ମରି‌ଗଲେ, ଯଦି ମଣିଷଙ୍କ ଜୀବନହାନି ହୋଇଥାନ୍ତା ତାହେଲେ କେମିତି କ୍ଷତିପୂରଣ ଦେଇଥାନ୍ତେ’ ବୋଲି ଏସ୍‌ଡିଓଙ୍କୁ ପ୍ରଶ୍ନ କରିଥିଲେ ଜିଲ୍ଲାପାଳ। ଏହି ଖବର ଏବେ ଚର୍ଚାର ବିଷୟ ହୋଇଛି ।