ବଙ୍ଗଳାରେ ଟାର୍ଗେଟ୍ କଲେ, ସମଗ୍ର ଦେଶକୁ ଦୋହଲାଇ ଦେବି”: ବିଜେପିକୁ ମମତାଙ୍କ କଡ଼ା ଚେତାବନୀ

by newsroom NOV-25-2025 4:04 PM IST in ଦେଶ ବିଦେଶ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଶନ ଉପରେ ନିଜର ନିୟମ ଲାଗୁ କରୁଛି। ଆଗାମୀ ଭୋଟର ତାଲିକା ସଂଶୋଧନ (SIR ) ସମୟରେ କୌଣସି ପ୍ରକୃତ ଭୋଟରଙ୍କ ନାମ ଯେପରି ବାଦ୍ ନ ପଡ଼େ, ସେଥିପାଇଁ ସେ କଡ଼ା ଚେତାବନୀ ଦେଇଛନ୍ତି।  ବିଜେପିର ବିହାର ପ୍ରଚାର ଉପରେ ଆଲୋକପାତ କରି ମମତା ଅଭିଯୋଗ କରିଛନ୍ତି ଯେ ପଡ଼ୋଶୀ ରାଜ୍ୟରେ ବିଜେପିର ‘ଖେଳ’ କେହି ଦେଖିପାରିଲେ ନାହିଁ। ମାତ୍ର ବଙ୍ଗଳାରେ ଏହା ଆଦୌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବୋନଗାଁଠାରେ ମତୁଆ ସମ୍ପ୍ରଦାୟକୁ ସମ୍ବୋଧିତ କରି ଆୟୋଜିତ ଏକ ଆଣ୍ଟି-ଏସ୍‌ଆଇଆର୍ (Anti-SIR) ରାଲିରେ ନିର୍ବାଚନ ଆୟୋଗ ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଏସଆଇଆର କରିବାକୁ ତିନି ବର୍ଷ  ଲାଗେ। ଏହା ଶେଷ ଥର ପାଇଁ ୨୦୦୨ ମସିହାରେ କରାଯାଇଥିଲା। ଆମେ କେବେବି ଏସ୍‌ଆଇଆର୍‌କୁ ବିରୋଧ କରିନାହୁଁ, କିନ୍ତୁ ଆମେ କହିଛୁ ଯେ କୌଣସି ସଚ୍ଚା ଭୋଟର ଯିଏ କି ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ, ତାଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ ନାହିଁ।”

ସେ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ତାଙ୍କୁ କିମ୍ବା ତାଙ୍କ ଦଳର ଲୋକଙ୍କୁ ବଙ୍ଗଳାରେ ଟାର୍ଗେଟ୍ କରାଯାଏ, ତେବେ ସେ ସାରା ଦେଶରେ ରାସ୍ତାକୁ ଓହ୍ଲାଇବେ ଏବଂ “ସମଗ୍ର ରାଷ୍ଟ୍ରକୁ ଦୋହଲାଇ ଦେବେ”। ମମତା ବାନାର୍ଜୀଙ୍କ ଏହି ଉଗ୍ର ମନ୍ତବ୍ୟ ଆଗାମୀ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୈତିକ ବାତାବରଣକୁ ଅଧିକ ସରଗରମ କରିଛି।

“ଯଦି ତୁମେ ମୋତେ ବଙ୍ଗଳାରେ ଟାର୍ଗେଟ୍ କର ଏବଂ ମୁଁ ଯଦି ମୋ ଲୋକଙ୍କ ଉପରେ ହୋଇଥିବା ଯେକୌଣସି ଆକ୍ରମଣକୁ ବ୍ୟକ୍ତିଗତ ଆକ୍ରମଣ ବୋଲି ବିବେଚନା କରେ, ତେବେ ମୁଁ ସମଗ୍ର ଦେଶକୁ ଦୋହଲାଇ ଦେବି। ନିର୍ବାଚନ ପରେ ମୁଁ ସାରା ଦେଶ ଗସ୍ତ କରିବି,” ସେ କହିଛନ୍ତି।