ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

by newsroom OCT-28-2025 7:47 PM IST in ବଡ଼ ଖବର

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’ । ତିନିରୁ ଚାରି ଘଣ୍ଟା ଏହି ପ୍ରକ୍ରିୟା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଥିବା ବାତ୍ୟା ମୋନ୍ଥା ୧୫ କିମି/ଘଣ୍ଟା ବେଗରେ ଗତି କରୁଛି । ବାତ୍ୟା ମନ୍ଥା ମଚିଲିପଟ୍ଟନମ୍ (ଆନ୍ଧ୍ରପ୍ରଦେଶ)ର ଦକ୍ଷିଣ-ଦକ୍ଷିଣପୂର୍ବରୁ କାକିନାଡା ଦେଇ ଗତି କରୁଛି । ମଚିଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନାଡା ନିକଟରେ ଏବେ ପ୍ରବଳ ବର୍ଷା ହେଉଛି । ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ବେଳେ ସର୍ବାଧିକ ସ୍ଥାୟୀ ପବନ ବେଗ ୯୦-୧୦୦ କିମି/ଘଣ୍ଟା ରହିଛି । ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ ବୋଲି ଅନୁମାନ କରାଯାଉଛି। ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର କାକିନାଡାରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠୁଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ତେଣୁ ପବନର ବେଗ ବଢ଼ିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି। ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ମଧ୍ୟ ରାତ୍ରୀରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରୁଥିବାରୁ ଲୋକଙ୍କର ଜୀବନ ପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି। ଆଶା କରାଯାଉଛି ଯେ, ବାତ୍ୟା କାରଣରୁ ୧୪ ଲକ୍ଷ ଲୋକ ପ୍ରଭାବିତ ହେବେ। ସେଥିପାଇଁ ଏନଡିଆରଏଫ ସଜାଗ ରହିଛି ।