ପଶ୍ଚିମବଙ୍ଗ ବିଧାନସଭାର ନୂତନ ବାଚସ୍ପତି ହେଲେ ରଥୀନ୍ଦ୍ର ବସୁ

by newsroom MAY-16-2026 4:04 AM IST in ଦେଶ ବିଦେଶ

ନୂଆ ସରକାର ଗଠନ ପରେ ପଶ୍ଚିମବଙ୍ଗକୁ ମିଳିଲା ନୂଆ ବାଚସ୍ପତି। ପଶ୍ଚିମବଙ୍ଗ ବିଧାନସଭାର ନୂତନ ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ବିଜେପି ଟିକଟରେ ପ୍ରଥମ ଥର ବିଧାୟକ ଭାବେ କୁଚବିହାର ଦକ୍ଷିଣ ଆସନରୁ ବିଜୟୀ ହୋଇଥିବା ରଥୀନ୍ଦ୍ର ବସୁ ପ୍ରଥମ ଥର ପାଇଁ ବାଚସ୍ପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁକ୍ରବାର ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ତତ୍ତ୍ୱାବଧାନରେ ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଔପଚାରିକ ଭାବେ ରଥୀନ୍ଦ୍ର ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ପରେ ଵାଚନିକ ଭୋଟ ମାଧ୍ୟମରେ ବିଧାନସଭା ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା।

ନିର୍ବାଚନ ପ୍ରକ୍ରିୟା ସମୟରେ ତୃଣମୂଳ କଂଗ୍ରେସ ସଦସ୍ୟମାନେ ଗୃହରେ ଅନୁପସ୍ଥିତ ରହିଥିଲେ। ମାତ୍ର ପରେ ସେମାନେ ଅଧିବେଶନରେ ଯୋଗ ଦେଇଥିଲେ। ସର୍ବସମ୍ମତିକ୍ରମେ ରଥୀନ୍ଦ୍ର ବସୁଙ୍କ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ବିରୋଧୀ ଦଳନେତା ଶୋଭନଦେବ ଚଟ୍ଟୋପାଧ୍ୟାୟ ତାଙ୍କୁ ବାଚସ୍ପତି ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ବାଚସ୍ପତି ନିର୍ବାଚନକୁ ତୃଣମୂଳ କଂଗ୍ରେସ ବିରୋଧ କରି ନଥିଲା।