ଅନ୍ୟ ମୁଣ୍ଡରେ ଅଠା ବୋଳ
ଏହା ହେଉଛି ତାମିଲ୍ ଖେଳ
ଅନାମ ବାବୁଙ୍କ ମୁହଁରେ କୁହାଇ
ପୁରୁଖାଙ୍କୁ ଦେଉଛି ସେ ଫସାଇ
ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ
ଖୋଜା ଚାଲିଛି ବିଶ୍ୱସ୍ତ ଏଜେଣ୍ଟ
ଧମକ ଦେଲେଣି ପାଲତୁ ବାବୁ
ମୁଣ୍ଡପୋତି ସହୁଛନ୍ତି ବରିଷ୍ଠ ସବୁ
ଧନ୍ୟରେ ଆମ ବିଜୁପ୍ରେମୀ
ହେଇଗଲ ସବୁ ଭଣ୍ଡ ଅନୁଗାମୀ
ଏ ହେଉଛି ଶ୍ରୀମୟୀଙ୍କ କବିତା । ବିଜୁ ଜନତା ଦଳ ରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ଥରେ ସୋସିଆଲ୍ ମିଡିଆରେ ଦଳର ନେତୃତ୍ୱକୁ ଟାର୍ଗେଟ୍ କରିଛନ୍ତି। ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ୧୦ ଧାଡ଼ି ବିଶିଷ୍ଟ କବିତା ପୋଷ୍ଟ କରିଛନ୍ତି, ଯାହା ରାଜନୈତିକ ମହଲରେ ବଡ଼ ଧରଣର ଚର୍ଚ୍ଚା ସୃଷ୍ଟି କରିଛି। ଶ୍ରୀମୟୀଙ୍କ ଏହି କବିତା ପୋଷ୍ଟ ଭାଇରାଲ ହେଉଛି । ଏଥିରେ କାହାକୁ ଇଙ୍ଗିତ କରାଯାଇଛି, ତାହା ସ୍ପଷ୍ଟ ନହେଲେ ମଧ୍ୟ, ଏହା ପରୋକ୍ଷରେ ବିଜେଡି ନେତା ପାଣ୍ଡିଆନଙ୍କୁ ଘାଇଲା କରିବା ପାଇଁ ଲେଖାଯାଇଥିବା ବୁଝାପଡ଼ୁଛି । ଗତ କିଛି ମାସ ହେଲା ଲଗାତାର ଟାର୍ଗେଟ୍ କରୁଛନ୍ତି ଶ୍ରୀମୟୀ । ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରାଯିବା ପରଠାରୁ ହିଁ ସେ ଲଗାତାର ସୋସିଆଲ୍ ମିଡିଆକୁ ରାଜନୈତିକ ମଞ୍ଚ ଭାବେ ବ୍ୟବହାର କରି ଆସୁଛନ୍ତି । ପ୍ରଥମେ ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ପୋଷ୍ଟ ବେଶ୍ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ। ତା’ପରେ ସେ ନୂଆପଡ଼ା ପରାଜୟ ପଛର କାରଣକୁ ନେଇ ତାଙ୍କୁ ସିଧା ଟାର୍ଗେଟ କରିଥିଲେ। ସର୍ବଦା ସେ ତାଙ୍କ ପୋଷ୍ଟରେ ‘ତାମିଲ ବାବୁ’ କଥା ଉଠାଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି । ତାଙ୍କର ଏହି ନୂଆ କବିତା ପୋଷ୍ଟ ପୁଣି ଥରେ ରାଜନୈତିକ ମହଲରେ ଆଲୋଚନା ହେଉଛି ।

















