ଇସଲାମାବାଦରେ ଅନୁଷ୍ଠିତ ୨୧ ଘଣ୍ଟାର ମାରାଥନ୍ ଆଲୋଚନା ବିଫଳ ହେବା ପରେ ଯୁକ୍ତରାଷ୍ଟ୍ର ଏବଂ ଇରାନ୍ ଏହି ସପ୍ତାହରେ ପୁଣି ଏକ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ନୂଆ ଆଲୋଚନା ଗୁରୁବାର ଦିନ ହେବାର ସମ୍ଭାବନା ରହିଛି । ତେବେ ଏହା ଇସ୍ଲାମାବାଦ କିମ୍ବା ଜେନେଭାରେ ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି।
ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର ଏବଂ ଇରାନ୍ ମଧ୍ୟରେ ଛଅ ସପ୍ତାହ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ମୁହାଁମୁହିଁ ଆଲୋଚନା କରାଯିବ। ବର୍ତ୍ତମାନ ଦୁଇ ସପ୍ତାହର ଅସ୍ଥାୟୀ ଯୁଦ୍ଧବିରାମ ଏପ୍ରିଲ୍ ୨୧ ତାରିଖରେ ଶେଷ ହେବାକୁ ଥିବାରୁ ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗତ ରବିବାର ଇସ୍ଲାମାବାଦରେ ଅନୁଷ୍ଠିତ ଆଲୋଚନାରେ କୌଣସି ଚୁକ୍ତି ହୋଇପାରି ନଥିଲା।
ଯୁକ୍ତରାଷ୍ଟ୍ରର ଜଣେ ଅଧିକାରୀ କହିଛନ୍ତି ଯେ ସ୍ଥାନ ଏବଂ ସମୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ ଆଲୋଚନା ଗୁରୁବାର ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ସାମ୍ବାଦିକଙ୍କୁ କହିଥିଲେ ଯେ ଅନ୍ୟ ପକ୍ଷରୁ ଫୋନ୍ ଆସିଛି ଏବଂ ସେମାନେ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। ପାକିସ୍ତାନ ମଧ୍ୟସ୍ଥତାରେ ଏପ୍ରିଲ୍ ୮ ତାରିଖରେ ଘୋଷିତ ଏହି ଦୁଇ ସପ୍ତାହର ଯୁଦ୍ଧବିରାମ ବର୍ତ୍ତମାନ ଅସ୍ଥିର ଅବସ୍ଥାରେ ରହିଛି। ଯଦି ନୂତନ ଆଲୋଚନାରେ କୌଣସି ଫଳ ମିଳେ ତେବେ ଯୁଦ୍ଧକୁ ସ୍ଥାୟୀ ଭାବେ ସମାପ୍ତ କରିବାର ପଥ ପ୍ରଶସ୍ତ ହୋଇପାରେ।










