ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

by newsroom NOV-16-2025 11:13 AM IST in ଖେଳ

ଭାରତୀୟ କ୍ରିକେଟ୍ ଜଗତରେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀକୁ ନେଇ ଚର୍ଚ୍ଚା ।  ଚଳିତ ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ୟୁଏଇ ବିପକ୍ଷରେ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଭାରତୀୟ-ଏ’ ଦଳକୁ ବଡ଼ ବିଜୟ ଦେଇଥିବାରୁ ତାଙ୍କର ଆଲୋଚନା ଚାଲିଛି ।  ୟୁଏଇ ବିପକ୍ଷ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ମାତ୍ର ୩୨ ବଲ୍‌ରୁ ଶତକ ଅର୍ଜନ କରି ଟ୍ୱେଣ୍ଟି-୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟର୍‌ ଭାବେ ଯୁଗ୍ମ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ଋଷଭ ପନ୍ତ ଦିଲ୍ଲୀ ପକ୍ଷରୁ ଖେଳି ହିମାଚଳ ପ୍ରଦେଶ ବିପକ୍ଷରେ ସମାନ ୩୨ ବଲ୍‌ରେ ଶତକ ମାରି ଏହି ରେକର୍ଡ କରିଥିଲେ। ସୂର୍ଯ୍ୟବଂଶୀ ମୋଟ ୪୨ ବଲ୍‌ ଖେଳି ୧୧ ଚୌକା ଓ ୧୫ ବିଶାଳ ଛକା ସହାୟତାରେ ୧୪୪ ରନ୍‌ କରି ଆଉଟ୍ ହୋଇଥିଲେ। ଏହି ଇନିଂସ୍ ସହିତ ସେ ଭାରତୀୟ ବ୍ୟାଟର୍‌ ଭାବେ ଟ୍ୱେଣ୍ଟି-୨୦ ଫର୍ମାଟ୍‌ରେ ଚତୁର୍ଥ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋରର୍ ହୋଇଛନ୍ତି। ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ଜିତେଶ ଶର୍ମାଙ୍କ ଅର୍ଦ୍ଧଶତକ (୮୩ ରନ୍‌, ୩୨ ବଲ୍‌, ୮ ଚୌକା, ୬ ଛକା) ବଳରେ ଭାରତୀୟ-ଏ’ ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୯୭ ରନ୍‌ କରିଥିଲା। ଏହି ସ୍କୋର ଟ୍ୱେଣ୍ଟି-୨୦ କ୍ରିକେଟ୍‌ରେ ଯୁଗ୍ମ ସର୍ବୋଚ୍ଚ ସ୍କୋର୍‌ ହୋଇଛି। ଜବାବରେ ୟୁଏଇ ଦଳ ମାତ୍ର ୭ ୱିକେଟ୍ ହରାଇ ୧୪୯ ରନ୍‌ କରିପାରିଥିଲା ଏବଂ ଭାରତୀୟ-ଏ’ ଦଳକୁ ୧୪୮ ରନ୍‌ର ଏକ ବଡ଼ ବିଜୟ ମିଳିଥିଲା। ଏହି ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ତାଙ୍କୁ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭରୁ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି।