ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

by newsroom OCT-24-2025 5:56 PM IST in ଅପରାଧ

ମହାରାଷ୍ଟ୍ରରେ ଜଣେ ମହିଳା ଡାକ୍ତର ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । ମହିଳା ଡାକ୍ତର ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଜଣେ ପୋଲିସ ଏସଆଇ ମାସ ମାସ ଧରି ନିର୍ଯାତନା  ଦେଉଥିଲେ ।  ଧମକ ଦେଉଥିଲେ, ଏପରିକି ପାଞ୍ଚ ମାସରେ ଚାରିଥର ଦୁଷ୍କର୍ମ କରିଥିଲେ ।  ଜଣେ ପୋଲିସ ସବ-ଇନ୍ସପେକ୍ଟର (SI) ଦ୍ୱାରା ଚାରିଥର ବଳାତ୍କାରର ଶିକାର ହେବା ପରେ ସେ ଅଭିଯାଗ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ ପୋଲିସ ଗୁରୁତ୍ବ ଦେଲାନାହିଁ । ଯାହା ଫଳରେ ସେ  ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ମହାରାଷ୍ଟ୍ରର ସତାରାର  ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ କରିଛନ୍ତି।  ମୃତ୍ୟୁ ପୂର୍ବରୁ ତାଙ୍କ ବାମ ହାତ ପାପୁଲିରେ ସେ ଲେଖିଛନ୍ତି ଯେ ଏସଆଇ ଗୋପାଳ ବଡନେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ।  ନିର୍ଯାତନା ପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ପୋଲିସ ଏସଆଇ ଗୋପାଳ ବଡନେଙ୍କୁ  ନିଲମ୍ବିନ କରିଛନ୍ତି।

ମୃତ ମହିଳା ଡାକ୍ତର ତାଙ୍କ ହାତ ପାପୁଲିରେ ଲେଖିଛନ୍ତି “ପୋଲିସ ଇନ୍ସପେକ୍ଟର ଗୋପାଳ ବଡନେ ହେଉଛନ୍ତି ମୋର ମୃତ୍ୟୁର କାରଣ। ସେ ମୋତେ ଚାରିଥର ଦୁଷ୍କର୍ମ କରିଥିଲେ।  ପାଞ୍ଚ ମାସରୁ ଅଧିକ ସମୟ ଧରି ବଳାତ୍କାର, ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିଲେ,” ।

ମହିଳା ଡାକ୍ତର ଫଲଟନ ଉପ-ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ଫଲଟନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି)ଙ୍କୁ  ଏକ ଚିଠିରେ ସମାନ ଅଭିଯୋଗ କରିଥିଲେ । ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ଡିଏସପିଙ୍କୁ ଲେଖିଥିବା ଚିଠିରେ, ମହିଳା ଡାକ୍ତର ଫଲଟନ ଗ୍ରାମୀଣ ପୋଲିସ ବିଭାଗର ଦୁଇ ପୋଲିସ ଅଧିକାରୀଙ୍କୁ ନିର୍ଯାତନା ଦେବାର ଅଭିଯୋଗ କରିଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସେ ଚିଠିରେ ଗୋପାଳ ବଡନେ, ସବ-ବିଭାଗୀୟ ପୋଲିସ ଇନ୍ସପେକ୍ଟର ପାଟିଲ ଏବଂ ସହକାରୀ ପୋଲିସ ଇନ୍ସପେକ୍ଟର ଲାଡପୁତ୍ରେଙ୍କ ନାମ ନେଇଥିଲେ। ସେ କହିଛନ୍ତି ଯେ ସେ “ଅତ୍ୟନ୍ତ ଚାପରେ ଅଛନ୍ତି, ତେଣୁ ଏହି ଗମ୍ଭୀର ଘଟଣାର ତଦନ୍ତ ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ”। ଏହି ଘଟଣା ପରେ ରାଜ୍ୟ କଂଗ୍ରେସ ନେତା ବିଜୟ ନାମଦେବରାଓ  ଆତ୍ମହତ୍ୟା ଘଟଣାକୁ ନେଇ ଶାସକ ମହାୟୁତି ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ଏହି ଘଟଣାରେ ଡାକ୍ତରଙ୍କ ଆତ୍ମହତ୍ୟାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀଙ୍କ ଦଣ୍ଡ ମିଳିବାର ଆଶ୍ୱାସନା ଦେଇଛି।  ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନ ମଧ୍ୟ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହିଳା ଡାକ୍ତରଙ୍କ ଅଭିଯୋଗର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ତାର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।