ଭୁବନେଶ୍ୱରରେ ପାକିସ୍ତାନୀ ଆତଙ୍କବାଦୀ…! ଦିଲ୍ଲୀ ପୋଲିସର ଖୋଳତାଡ଼

by newsroom APR-11-2026 11:22 AM IST in ଅପରାଧ

ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି, ଯାହାର ପାକିସ୍ତାନୀ ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ଗିରଫ ହୋଇଥିବା ଯୁବକଙ୍କ ନାମ ଇମ୍ରାନ୍। ସେ ଭୁବନେଶ୍ୱର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗିରଫ ହୋଇଛି। ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଏହି ଅପରେସନ୍ ଚଳାଇ ଇମ୍ରାନ୍‌ଙ୍କୁ ଉଠାଇ ନେଇଛି।

ସୂଚନା ଅନୁସାରେ, ଇମ୍ରାନ୍ ପାକିସ୍ତାନୀ ଆଇଏସ୍‌ଆଇ (ISI) ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ଯୋଗସୂତ୍ର ରଖି ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ, ବିଦେଶୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରିବା ଭଳି ଅଭିଯୋଗ ଲାଗିଛି। ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ଯେ, ଇମ୍ରାନ୍ ସୋସିଆଲ୍ ମିଡିଆରେ ପାକିସ୍ତାନ ସମର୍ଥକ ବାର୍ତ୍ତା ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକର ପ୍ରଚାର କରୁଥିଲେ।

ଏହି ମଡ୍ୟୁଲ୍ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ଆକ୍ରମଣ ପାଇଁ ଯୋଜନା କରୁଥିଲା ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଦିଲ୍ଲୀ ପୋଲିସ୍ ଏହି କେସ୍‌ରେ ପୂର୍ବରୁ ଅନ୍ୟାନ୍ୟ ରାଜ୍ୟରୁ କେତେକ ସନ୍ଦିଗ୍ଧଙ୍କୁ ଗିରଫ କରିସାରିଛି ଏବଂ ଇମ୍ରାନ୍ ଗିରଫ ସହ ଏହି ନେଟୱର୍କର ଆଉ ଏକ ଲିଙ୍କ୍ ଉନ୍ମୋଚିତ ହୋଇଛି। ଗିରଫଦାରୀ ପରେ ଇମ୍ରାନ୍‌ଙ୍କୁ ଦିଲ୍ଲୀ ନେଇ ଜେରା କରାଯାଉଛି। ପୋଲିସ୍ ତାଙ୍କ ଫୋନ୍, ଡିଜିଟାଲ୍ ଡିଭାଇସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଅନୁସନ୍ଧାନ ଜାରି ରଖିଛି।

ଏହି ଷଡ଼ଯନ୍ତ୍ରରେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ଭୂମିକା ଥିବା ନେଇ ସନ୍ଦେହ କରାଯାଉଛି। ପୋଲିସ୍ କହିଛି ଯେ, ଏହି ମଡ୍ୟୁଲ୍ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ ପାଇଁ ରେକି କରୁଥିଲା।ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଚ୍ଚ ସତର୍କତା ଜାରି ରଖିଛନ୍ତି। ଓଡ଼ିଶା ପୋଲିସ୍ ମଧ୍ୟ ଏହି କେସ୍ ସହ ସଂଲଗ୍ନ ଘଟଣାର ଅନୁସନ୍ଧାନ କରୁଛି। ଆତଙ୍କବାଦ ବିରୋଧୀ ଅଭିଯାନରେ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।ଏହି ଘଟଣା ଦେଶର ସୁରକ୍ଷା ଉପରେ ପୁଣି ଏକ ପ୍ରଶ୍ନ ଚିହ୍ନ ଲଗାଇଛି ।