ମହାକାଶରେ ପରମାଣୁ ଅସ୍ତ୍ର ବ୍ୟବହାର କରି ଏକ ବିରାଟ ‘ପର୍ଲ ହାର୍ବର’ ଭଳି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ରୁଷିୟାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏହି ଆକ୍ରମଣରେ ପୃଥିବୀର ସମସ୍ତ ସାଟେଲାଇଟ୍ ଧ୍ୱଂସ ହୋଇପାରେ ଏବଂ ଇଣ୍ଟରନେଟ୍, ଜିପିଏସ୍ ସମେତ ବିଶ୍ୱର ଯୋଗାଯୋଗ ବ୍ୟବସ୍ଥା ପୂରାପୂରି ଠପ୍ ହୋଇଯିବ ବୋଲି ଆମେରିକୀୟ ସ୍ପେସ୍ କମାଣ୍ଡର ମୁଖ୍ୟ ଚେତାବନୀ ଦେଇଛନ୍ତି।
ୟୁଏସ୍ ସ୍ପେସ୍ କମାଣ୍ଡର କମାଣ୍ଡର ଜେନେରାଲ୍ ସ୍ଟିଫେନ୍ ହ୍ୱାଇଟିଙ୍ଗ୍ କହିଛନ୍ତି ଯେ, ରୁଷିଆ ଏକ ପରମାଣୁ ଆଣ୍ଟି-ସାଟେଲାଇଟ୍ (ASAT) ଅସ୍ତ୍ରକୁ ମହାକାଶରେ ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛି। ଏହା ଲୋୱାର୍ ଅର୍ଥ ଅର୍ବିଟ୍ (LEO)ରେ ଥିବା ସମସ୍ତ ସାଟେଲାଇଟ୍କୁ ବିପଦରେ ପକାଇବ। ଏହିଁ ପରମାଣୁ ବିସ୍ଫୋରଣ ହେଲେ କେବଳ କିଛି ଘଣ୍ଟା ମଧ୍ୟରେ ଲୋୱାର୍ ଅର୍ଥ ଅର୍ବିଟର ଏକ ତୃତୀୟାଂଶ ସାଟେଲାଇଟ୍ ଧ୍ୱଂସ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
ଜେନେରାଲ୍ ହ୍ୱାଇଟିଙ୍ଗ୍ କହିଛନ୍ତି, “ରୁଷିଆ ଏକ ଐତିହାସିକ ଏବଂ ଉନ୍ନତ ସ୍ପେସ୍ ଶକ୍ତି। ଆର୍ଥିକ ନିଷେଧାଜ୍ଞା ସତ୍ତ୍ୱେ ସେ କାଉଣ୍ଟର-ସ୍ପେସ୍ ଅସ୍ତ୍ରରେ ବହୁତ ବେଶି ନିବେଶ କରୁଛି। ସବୁଠୁ ଚିନ୍ତାଜନକ କଥା ହେଉଛି ଯେ, ସେମାନେ ମହାକାଶରେ ଏକ ପରମାଣୁ ASAT ଅସ୍ତ୍ର ରଖିବା ବିଷୟରେ ଚିନ୍ତା କରୁଛନ୍ତି। ଏହା ସମସ୍ତଙ୍କ ସାଟେଲାଇଟ୍କୁ ବିପଦରେ ପକାଇବ ଏବଂ ଏହା ଆମେ କଦାପି ସହ୍ୟ କରିପାରିବୁ ନାହିଁ।”ଏହି ଧରଣର ଆକ୍ରମଣକୁ ‘ସ୍ପେସ୍ ପର୍ଲ ହାର୍ବର’ ବୋଲି କୁହାଯାଉଛି।
ଏହା ଦ୍ୱାରା ମିଲିଟାରୀ ଯୋଗାଯୋଗ, ଜିପିଏସ୍ ନାଭିଗେସନ୍, ଇଣ୍ଟରନେଟ୍, ବ୍ୟାଙ୍କିଙ୍ଗ୍, ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୈନନ୍ଦିନ ଜୀବନର ଅନେକ ସେବା ପୂରାପୂରି ବନ୍ଦ ହୋଇଯିବ। ଏହା କେବଳ ଯୁଦ୍ଧର ନିୟମ ବଦଳାଇବ ନାହିଁ, ବରଂ ବିଶ୍ୱର ଆଧୁନିକ ଜୀବନଯାପନକୁ ମଧ୍ୟ ପ୍ରଭାବିତ କରିବ। ରୁଷିଆ ଏହି ଯୋଜନା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଦେଇ ନାହିଁ। ପୂର୍ବରୁ ଆମେରିକା ଏହି ଧରଣର ବିକାଶ ବିଷୟରେ ରୁଷିଆକୁ ଚେତାବନୀ ଦେଇଥିଲା ଏବଂ କ୍ରେମଲିନ୍ ତାହାକୁ ‘ମିଥ୍ୟା’ ବୋଲି ଖଣ୍ଡନ କରିଥିଲା।
ତେବେ ଯୁକ୍ତରାଷ୍ଟ୍ର ଏହି ବିପଦକୁ ଗମ୍ଭୀରତାର ସହିତ ନେଇ ମିତ୍ର ଦେଶଗୁଡ଼ିକ ସହ ଯୁଦ୍ଧ ଅଭ୍ୟାସ (ୱାରଗେମ୍) ଆରମ୍ଭ କରିଛି। ୧୯୬୭ ମସିହାର ଆଉଟର୍ ସ୍ପେସ୍ ଟ୍ରିଟି ଅନୁଯାୟୀ ମହାକାଶରେ ପରମାଣୁ ଅସ୍ତ୍ର ରଖିବା ନିଷିଦ୍ଧ। ରୁଷିଆ ଏହି ଚୁକ୍ତିର ସଦସ୍ୟ ହୋଇଥିବା ସତ୍ତ୍ୱେ ଏହି ବିକାଶ ନେଇ ଉଦବେଗ ପ୍ରକାଶ ପାଇଛି।ଏହି ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଏବଂ ତା’ର ମିତ୍ରମାନେ ସ୍ପେସ୍ ଡିଫେନ୍ସ ବ୍ୟବସ୍ଥା ମଜବୁତ୍ କରିବା ଏବଂ ସାଟେଲାଇଟ୍ ସୁରକ୍ଷା ପାଇଁ ନୂତନ ପ୍ରଯୁକ୍ତି ବିକଶିତ କରିବା ଉପରେ ଜୋର୍ ଦେଉଛନ୍ତି।




/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)






