ବିହାରର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଛନ୍ତି। ସିଏମ୍ ଆସନରେ ବସିବା ପରେ ତାଙ୍କୁ ଏଭଳି ଧମକ ମିଳିଛି। ଏହି ଘଟଣା ପରେ ବିହାର ପୋଲିସ୍ ତୁରନ୍ତ ଆକ୍ସନ ମୋଡ୍ରେ ଆସିଛି।
ସୂଚନା ଅନୁଯାୟୀ, ଗତ କିଛି ଘଣ୍ଟା ପୂର୍ବେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ମୋବାଇଲ୍ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ସିଏମ୍ଙ୍କୁ ସମ୍ବୋଧନ କରି କହିଥିଲେ, “ତୁମେ ସିଏମ୍ ହୋଇଛ କି? ତୁମର ଜୀବନ ଶେଷ ହୋଇଯିବ, ମୁଁ ତୁମକୁ ମାରିଦେବି।” ଏହା ପରେ କଲ୍ କଟି ଯାଇଥିଲା।ଏହି ଧମକ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ବିହାର ପୋଲିସ୍ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ଧମକ ଦେଇଥିବା ମୋବାଇଲ୍ ନମ୍ବରକୁ ଟ୍ରେସ୍ କରାଯାଉଛି ଏବଂ ସାଇବର ସେଲ୍ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ପୋଲିସ୍। ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି।ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ କାର୍ଯ୍ୟାଳୟ ଏହି ଘଟଣାକୁ ଗମ୍ଭୀର ଭାବେ ନେଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଧମକ ରାଜନୈତିକ ପ୍ରତିହିଂସା ନା ଅନ୍ୟ କୌଣସି କାରଣରୁ ଆସିଛି ତାହା ତଦନ୍ତରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ବିହାରର ନୂତନ ସରକାର ଗଠନ ହେବା ପରେ ଏପରି ଏକ ଗମ୍ଭୀର ଧମକ ଆସିବା ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୋଲିସ୍ କହିଛି ଯେ, ତଦନ୍ତର ପ୍ରଥମ ପର୍ଯ୍ୟାୟରେ କଲ୍ ରେକର୍ଡିଙ୍ଗ୍ ଏବଂ ନମ୍ବର ଲୋକେସନ୍ ଯାଞ୍ଚ କରାଯାଉଛି। ଅପରାଧୀକୁ ଶୀଘ୍ର ଗିରଫ୍ କରାଯିବ ବୋଲି ପୋଲିସ୍ ଆଶ୍ୱାସନା ଦେଇଛି।




/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)






