୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ

by newsroom JAN-10-2026 5:47 AM IST in ବଡ଼ ଖବର

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିୟମର ସଂଶୋଧନ କରିବାର ଉ‌ଦ୍ଦେଶ୍ୟ ହେଉଛି ଠକେଇକୁ ରୋକିବା ସହ ଆରସିଏମ୍‌ଏସ୍‌ ତଥ୍ୟକୁ ସୁନିଶ୍ଚିତ କରିବା ଓ ସରକାରୀ ସଂପଦକୁ ସୁରକ୍ଷିତ ରଖିବା। ରାସନ କାର୍ଡଧାରୀ ଘରର ମୁଖ୍ୟ କିମ୍ବା କାର୍ଡଧାରୀ ଘରର ଅଧିକୃତ ସଦସ୍ୟ କାର୍ଡରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁଜନିତ ତଥ୍ୟ ଲୁଚାଇବେ ନାହିଁ। ଏହାକୁ ଯୋଗାଣ ବିଭାଗ ଅଧିକାରୀ କିମ୍ବା ନିକଟସ୍ଥ ଖାଉଟି ଡିଲରକୁ ଜଣାଇବେ। ମୃତ୍ୟୁ ତଥ୍ୟ ଲୁଚାଇଲେ ମୃତକଙ୍କ ମୃତ୍ୟୁ ତାରିଖଠାରୁ ଦେଢ଼ ଗୁଣା ହାରରେ ସାମଗ୍ରୀର ମୂଲ୍ୟ ଆଦାୟ କରାଯିବ। ଏହାସହ ପରବର୍ତ୍ତୀ ମାସର ପ୍ରାପ୍ୟରୁ କଟାଯାଇ କିମ୍ବା ପ୍ରଚଳିତ ଅର୍ଥନୈତିକ ମୂଲ୍ୟ ଆକାରରେ ଭରଣା କରାଯିବ।ରାସନ କାର୍ଡଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍‌ ସାମଗ୍ରୀ ନେଲେ ମୃତକଙ୍କ ମୃତ୍ୟୁ ତାରିଖଠାରୁ ଗ୍ରହଣ ହୋଇଥିବା ସାମଗ୍ରୀର ମୂଲ୍ୟ ସଂପୃକ୍ତ ପରିବାରଠାରୁ ଦେଢ଼ ଗୁଣ ହାରରେ ଆଦାୟ ହେବ। ଏଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ ୨୦୧୬ର ଧାରା ୨୭ (୧)ରେ ସଂଶୋଧନ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧିତ ଆଦେଶ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ) ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କ୍ୟାବିନେଟ୍‌ରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଗ୍ରାମୀଣ କ୍ଷେତ୍ରରେ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କାରୁ ଅଧିକ ଦରମା ଥିଲେ ଏଥିରୁ ବାଦ୍‌ ପଡ଼ୁଥିଲେ। ସରକାର ଏବେ ଆୟ ମାନଦଣ୍ଡକୁ ବୃଦ୍ଧି କରିଛନ୍ତି। ସଂଶୋଧିତ ଆୟ ମାନଦଣ୍ଡ ଅନୁସାରେ ଗ୍ରାମାଞ୍ଚଳ ପରିବାରର ମାସିକ ଆୟ ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କା ଓ ସହରାଞ୍ଚଳରେ ମାସିକ ଆୟ ୧୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାଫଳରେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍‌ ପଡ଼ିବେ ନାହିଁ। ଏହି ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଏଏୱାଇ ଓ ଲକ୍ଷ୍ୟଭିତ୍ତିକ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ପରିବାର ଚିହ୍ନଟ ପାଇଁ ୧୧ଟି ସ୍ବତଃଯୋଗ୍ୟ ମାନଦଣ୍ଡ ଓ ୯ଟି ବାଦ୍‌ ପଡ଼ିବା ମାନଦଣ୍ଡ ରହିଥିଲା।