ବେଆଇନ୍ ବେଟିଂ ଆପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ଯୁବରାଜ, ଉର୍ବଶୀ ଓ ସୋନୁ ସୁଦଙ୍କ ସମ୍ପତ୍ତି ଜବତ

by newsroom DEC-19-2025 6:38 PM IST in ବଡ଼ ଖବର

ନୂଆଦିଲ୍ଲୀ: ବେଆଇନ୍ ବେଟିଂ ଆପ୍  କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛି। ଏହି ବେଆଇନ୍ କାରବାର ସହ ଜଡ଼ିତ ଅଭିଯୋଗରେ ଇଡି ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ବଲିଉଡର କେତେକ ଜଣାଶୁଣା ସେଲିବ୍ରିଟିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ମାମଲାରେ ଇଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବେଟିଂ ଆପର ପ୍ରଚାର ଓ ପ୍ରସାର ଏବଂ ଆର୍ଥିକ କାରବାର ସନ୍ଦେହରେ ଏହି ସେଲିବ୍ରିଟିମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂଙ୍କର ପ୍ରାୟ ଅଢ଼େଇ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ପରୋପକାରୀ କାର୍ଯ୍ୟ ପାଇଁ ଜଣାଶୁଣା ଅଭିନେତା ସୋନୁ ସୁଦଙ୍କର ପ୍ରାୟ ୧ କୋଟି ଟଙ୍କାର ସମ୍ପତ୍ତି ଇଡି ଜବତ କରିଛି। ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କର ମଧ୍ୟ ୮.୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ସୂଚନା ମିଳିଛି।  ଅନଲାଇନ୍ ବେଟିଂ ଆପ୍‌ଗୁଡ଼ିକ ମାଧ୍ୟମରେ କୋଟି କୋଟି ଟଙ୍କାର ହେରଫେର ହେଉଥିବା ଅଭିଯୋଗ ହୋଇଥିଲା। ଏହି ଆପ୍‌ଗୁଡ଼ିକର ବିଜ୍ଞାପନ ଏବଂ ବ୍ରାଣ୍ଡ୍ ପ୍ରମୋସନ ପାଇଁ ସମ୍ପୃକ୍ତ ସେଲିବ୍ରିଟିମାନେ ମୋଟା ଅଙ୍କର ଅର୍ଥ ନେଇଥିଲେ, ଯାହାକୁ ଇଡି ‘ଅପରାଧରୁ ମିଳିଥିବା ଆୟ’ ଭାବେ ବିବେଚନା କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣା ଏବେ ବଲିଉଡ୍ ଏବଂ କ୍ରିକେଟ୍ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି।