କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌

by newsroom JAN-10-2026 5:41 AM IST in ରାଜ୍ୟ

କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ ଅବସରରେ  ଯେପର୍ଯ୍ୟନ୍ତ ସମାଜ ନାରୀକୁ ଉପଯୁକ୍ତ ସମ୍ମାନ ନ ଦେଇଛି ସେବେ ଯାଏ ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ନାରୀ ସୁରକ୍ଷା କେବଳ ଏକ ସ୍ଲୋଗାନରେ ସୀମିତ ରହିଯିବ। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ମିଳିବା ଦରକାର ବୋଲି  ବକ୍ତାମାନେ ମତପ୍ରକାଶ କରିଥିଲେ। ତେବେ ମହିଳାଙ୍କୁ ଯେତେ ସ୍ୱତନ୍ତ୍ରତା ମିଳୁଛି ତାର ଅପବ୍ୟବହାର ମଧ୍ୟ ହେଉଥିବା ନେଇ କିଛି ବକ୍ତା ଉଦ୍‌ବେଗ ପ୍ରକଟ କରିଥିଲେ। ତେଣୁ ପ୍ରକୃତ ନାରୀ ସୁରକ୍ଷା ହାସଲ କରିବା ଦିଗରେ ଏକମାତ୍ର ସମାଧାନ ହେଉଛି ଶିକ୍ଷା। ପରିବାରରୁ ହିଁ ନୈତିକ ଶିକ୍ଷା ଆରମ୍ଭ ହୋଇଥାଏ। ଆଧ୍ୟାତ୍ମିକତା ଓ ପୌରାଣିକ କଥାବସ୍ତୁ ଉପରେ ପିଲାମାନଙ୍କୁ ପଢ଼ାଇବା ଜରୁରୀ ବୋଲି ସୂର୍ଯ୍ୟବାଲା ଲାଲ ମତପ୍ରକାଶ କରିଥିଲେ। ମହୋତ୍ସବର ଦ୍ବିତୀୟ ଦିବସର ଏହି ଅଧିବେଶନରେ ଦେଶ ତଥା ଅନ୍ତର୍ଜାତୀୟ ସ୍ତରର ସାହିତ୍ୟ ଜଗତରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।  ଆଧୁନିକ ସାହିତ୍ୟରେ ନାରୀବାଦ, ସଂସଦ, ସମ୍ବିଧାନ ଓ ଜନତା, ମାତୃଭାଷା: ଆମ ପରିଚୟ, ଆମ ଗାଥା ଭଳି ଅନେକ ବିଷୟବସ୍ତୁ ଉପରେ ଚର୍ଚ୍ଚା ହୋଇଥିଲା।

କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ ଅବସରରେ ‘ଭାରତୀୟ ଲୋକତନ୍ତ୍ର: ସଂସଦ, ସମ୍ବିଧାନ ଓ ଜନତା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରରେ ଯୁବ ସମାଜର ଭୂମିକା ଉପରେ ବିଶିଷ୍ଟ ବକ୍ତମାନେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରରେ ଯୋଗ ଦେଇ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ସଂସଦଠାରୁ ସମ୍ବିଧାନ ଯାଏଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଦେଶ ଗଠନରେ ଯୁବକମାନଙ୍କର ଭୂମିକା ଓ ସଂସଦରେ ଜନପ୍ରତିନିଧିମାନଙ୍କ ଭୂମିକା ସମ୍ପର୍କରେ ସେ ନିଜ ମତ ରଖିଥିଲେ। କଥା କଥାକେ ହଟ୍ଟଗୋଳ ନକରି ସଂସଦର ଗରିମା ବଜାୟ ରଖିବା ଜରୁରୀ ବୋଲି ଶ୍ରୀ ସିଂ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିଜ ଅଭିଜ୍ଞତା ଓ ଅନୁଭୂତି  ବଖ‌ାଣିଥିଲେ। ସୂଚନାଯୋଗ୍ୟ, ଆଜି କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ର ଦ୍ୱିତୀୟ ଦିନରେ ୫ଟି ହଲ୍‌ରେ ୫୦ରୁ ଅଧିକ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସମାଜରେ ନାରୀମାନଙ୍କ ସୁରକ୍ଷାକୁ ନେଇ  ଏବେ ବଡ଼ ପ୍ରଶ୍ନ ଉଠିଛି। ଭୁବନେଶ୍ବରଠାରେ ଚାଲିଥିବା କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ର ଦ୍ୱିତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିବା ବେଳେ ନୈତିକ ଶିକ୍ଷା ହିଁ ନାରୀ ସୁରକ୍ଷା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ମତପ୍ରକାଶ ପାଇଛି। ଆଜି ‘ଆଧୁନିକ ସାହିତ୍ୟରେ ନାରୀବାଦ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ବିଶିଷ୍ଟ ଲେଖିକା ମନୀଷା କୁଳଶ୍ରେଷ୍ଠ ଓ ସୂର୍ଯ୍ୟବାଲା ଲାଲ ନାରୀବାଦ ଉପରେ ଆଲୋଚନା କରିଥିଲେ। ସମାଜ ଯେତେ ଆଧୁନିକ ହେଉଥିଲେ ବି ସେହି ଅନୁସାରେ ମହିଳା ଅତ୍ୟାଚାର ବି ବଢ଼ିଚାଲିଛି ବୋଲି ସେମାନେ ବକ୍ତବ୍ୟ ଦେଇଛନ୍ତି।