ହସପିଟାଲରେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ

by newsroom OCT-10-2025 12:03 PM IST in ବଡ଼ ଖବର

ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ଶାନ୍ତ ଥିଲା । ହଠାତ ଆସିଲା ଏମିତି ଭୂମିକମ୍ପ ଯେମିତି ସମସ୍ତଙ୍କୁ ଦୋହଲାଇ ଦେଲା ।   ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ହସପିଟାଲ, ସ୍କୁଲ, ବଡ଼ ବଡ଼ କୋଠା ଦୋହଲିବାକୁ ଲାଗିଲା । ଲୋକେ ଭୟରେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୈାଡ଼ିଲେ । ଭୂମିକମ୍ପ ଝଟ୍‌କା ଅନୁଭୂତ ହେବା ମାତ୍ରେ ଦବାଓ ସିଟିରୁ ମିଣ୍ଡାନାଓ ପର୍ଯ୍ୟନ୍ତ ଲୋକମାନେ ଚିତ୍କାର କଲେ । ଲୋକେ ଘର ଛାଡି ଖୋଲା ଜୀବନ ବଞ୍ଚାଇବା ପାଇଁ ପଡ଼ିଆକୁ  ଦୌଡ଼ିଲେ। ସ୍କୁଲ୍‌, ହସ୍ପିଟାଲ୍‌, ଓ ଅଫିସ୍‌ଗୁଡ଼ିକର କାଚ ଭାଙ୍ଗିଗଲା ।  ହଠାତ୍‌ ସବୁ ଯେମିତି ଥରି ଉଠିଲା!” ଘରଗୁଡ଼ିକରେ ଥିବା ଜିନିଷପତ୍ର ଏଣେତେଣେ ଖସିପଡ଼ିଲା । ଘର ଦୋହଲି କାନ୍ଥରେ ଫାଟ ଦେଖାଗଲା । Tagum City Davao Hospital ଅବସ୍ଥା ଏମିତି ଥିଲା ଯେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ।  ୭.୬ ତୀବ୍ରତାର  ଭୂମିକମ୍ପ ଅନୁଭୂତ ହେବାରୁ ଏହାକୁ ନଜରରେ ରଖି ସେଠାକାର କର୍ତ୍ତୃପକ୍ଷ ସୁନାମି ପାଇଁ ସତର୍କ ସୂଚନା ଜାରି କରିଛନ୍ତି  । ଏହି ଅଞ୍ଚଳରେ ପୁଣି ଥରେ ଭୂକମ୍ପ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।  ୟୁରୋପିଆନ୍ ମେଡିଟେରାନିଆନ୍ ସେସ୍‌ମୋଲୋଜିକାଲ ସେଣ୍ଟର(ଇଏମଏ) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨କିଲୋମିଟର ଥିଲା। ତେବେ ଏହି ଭୂମିକମ୍ପରେ କେତେ ଜଣ ମୃତାହତ ହୋଇଛନ୍ତି, ତାହାର ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିଲେ ମଧ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ଭୂକମ୍ପ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ଏବଂ ନାଗରିକମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଭୂମିକମ୍ପ ଡାଭାଓ ଓରିଏଣ୍ଟାଲ ପ୍ରଦେଶର ମାନାୟ ସହରରୁ ପ୍ରାୟ ୪୩ କିଲୋମିଟର (୨୭ ମାଇଲ) ପୂର୍ବରେ ଥିବା ସମୁଦ୍ରରେ କେନ୍ଦ୍ରିତ ହୋଇଥିଲା ।  ସୁନାମି ପାଇଁ ଉପକୂଳ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ଚାଲିଛି। ଅନେକ ସ୍ଥାନରେ ମାଟି ଅତଡ଼ା ଖସିଛି । କିଛି ସ୍ଥାନରେ ଘର ଭାଙ୍ଗିଛି, ହସ୍ପିଟାଲ ଏବଂ ସ୍କୁଲକୁ ଗୁରୁତର କ୍ଷତି ପହଞ୍ଚାଇଛି। ପ୍ରାୟ ୨୫୦ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କୁ ଅସ୍ଥାୟୀ ଭାବରେ ତମ୍ବୁରେ ରଖାଯାଇଛି ।

ଇଣ୍ଡୋନେସିଆ ଏବଂ ପାଲାଉର ଉପକୂଳବର୍ତ୍ତି କିଛି ସ୍ଥାନରେ ସୁନାମି ସତର୍କତା ମଧ୍ୟ ଜାରି କରାଯାଇଛି। ଇଣ୍ଡୋନେସିଆ ଉତ୍ତର ସୁଲାୱେସି ଏବଂ ପାପୁଆ ପାଇଁ ସତର୍କ ସୂଚନା ଜାରି କରିଛି।  ଭୂମିକମ୍ପ ପରେ, ପ୍ରଶାନ୍ତ ମହାସାଗର ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳରୁ 186 ମାଇଲ ମଧ୍ୟରେ ବିପଦପୂର୍ଣ୍ଣ ତରଙ୍ଗ ଆସିପାରେ। ଫିଲିପାଇନ୍ସ ଉପକୂଳର କିଛି ଅଂଶରେ 3 ମିଟର ଉଚ୍ଚ ତରଙ୍ଗ ଆସିବାର ସମ୍ଭାବନା ଅଛି । ଇଣ୍ଡୋନେସିଆ ଏବଂ ପାଲାଉରେ ଉଚ୍ଚ ତରଙ୍ଗ ଆସିବାର ସମ୍ଭାବନା ଅଛି।