ବିହାର ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ନିତୀଶ କୁମାରଙ୍କ ଇସ୍ତଫା ପରେ ବିଜେପି ପ୍ରଥମ ଥର ପାଇଁ ବିହାରରେ ନିଜର ମୁଖ୍ୟମନ୍ତ୍ରୀ ଦେବାକୁ ଯାଉଛି।
ଆଜି ନିତୀଶ କୁମାର ତାଙ୍କର ଶେଷ କ୍ୟାବିନେଟ ବୈଠକ କରିବା ପରେ ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହା ପରେ ବିଜେପି ବିଧାୟକ ଦଳର ବୈଠକରେ ସମ୍ରାଟ ଚୌଧୁରୀଙ୍କ ନାମରେ ମୋହର ଲଗାଯାଇଛି। ସମ୍ରାଟ ଚୌଧୁରୀ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ କୋଏରୀ ଜାତିର ପ୍ରଭାବଶାଳୀ ନେତା ଭାବେ ପରିଚିତ। ନୂତନ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆସନ୍ତାକାଲି (ଗୁରୁବାର) ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଶପଥ ଗ୍ରହଣ ସମାରୋହ ସକାଳ ୧୧ଟାରେ ରାଜ୍ଭବନରେ ହେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହା ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବ। ପ୍ରାୟ ତିନି ଦଶକ ଧରି ଜେଡିୟୁ ଏବଂ ଆରଜେଡି ପରି ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ ଥିବା ବିହାରରେ ପ୍ରଥମ ଥର ପାଇଁ ବିଜେପି ସମ୍ପୂର୍ଣ୍ଣ ନେତୃତ୍ୱରେ ସରକାର ଗଠନ କରୁଛି।
ସମ୍ରାଟ ଚୌଧୁରୀ ୨୦୨୩ରେ ବିଜେପିର ରାଜ୍ୟ ସଭାପତି ହୋଇଥିଲେ ଏବଂ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ନିତୀଶ କୁମାରଙ୍କ ସହିତ ତାଙ୍କର ଭଲ ସମ୍ପର୍କ ମଧ୍ୟ ତାଙ୍କୁ ଏହି ପଦ ପାଇଁ ଅଧିକ ଯୋଗ୍ୟ କରିଛି। ନିତୀଶ କୁମାର ରାଜ୍ୟସଭା ସଦସ୍ୟ ଭାବେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ବିହାରରେ ଏକ ନୂତନ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି।

/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)








