ଦୀର୍ଘଦିନ ଧରି ବିହାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ନିତୀଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ଭାବେ ଯୋଗ ଦେବା ପାଇଁ ଏହି ନିଷ୍ପତ୍ତି ନେଇଥିବା ନିତୀଶ କୁମାର ବିହାରର ୧୦ ଥରର ମୁଖ୍ୟମନ୍ତ୍ରୀ ଭାବେ ପରିଚିତ।
ନିତୀଶ କୁମାରଙ୍କ ଇସ୍ତଫା ପରେ ବିଜେପି ବିହାରରେ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ତେବେ ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଏପର୍ଯ୍ୟନ୍ତ ନିଶ୍ଚିତତା ନାହିଁ। ସମ୍ଭାବ୍ୟ ଉତ୍ତରାଧିକାରୀ ଆସନ୍ତାକାଲି (ଗୁରୁବାର) ଶପଥ ନେବେ ବୋଲି ଆଶା କରାଯାଉଛି। ନିତୀଶ କୁମାର ସମ୍ପ୍ରତି ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି ଏବଂ ଆସନ୍ତା ଏପ୍ରିଲ ୧୦ ତାରିଖରେ ଶପଥ ନେବେ। ଏହା ପୂର୍ବରୁ ସେ ବିହାର ବିଧାନପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଆଜି ସେ ତାଙ୍କର ଶେଷ କ୍ୟାବିନେଟ ବୈଠକ କରିବା ପରେ ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।
ବିଜେପି ଏଥର ପ୍ରଥମ ଥର ପାଇଁ ବିହାରରେ ନିଜର ମୁଖ୍ୟମନ୍ତ୍ରୀ ଦେବାକୁ ଯାଉଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନାମ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଅଧିକ ଆଲୋଚିତ ହେଉଛି। ଆସନ୍ତାକାଲି ସକାଳ ୧୧ଟାରେ ରାଜ୍ଭବନରେ ନୂତନ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ନିତୀଶ କୁମାର ପ୍ରାୟ ଦୁଇ ଦଶକ ଧରି ବିହାର ରାଜନୀତିରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଆସିଛନ୍ତି। ତାଙ୍କ ନେତୃତ୍ୱରେ ବିହାରରେ ‘ସୁଶାସନ’ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ପ୍ରଶଂସା ମିଳିଛି। ତାଙ୍କ ଇସ୍ତଫା ପରେ ବିହାର ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି।










