ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

by newsroom MAY-12-2026 7:05 PM IST in ବଡ଼ ଖବର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଯଥେଷ୍ଟ ମହଜୁଦ ରହିଛି। ରାଜ୍ୟ ସହ ଦେଶରେ ମଧ୍ୟ ଯଥେଷ୍ଟ ମହଜୁଦ ରହିଛି। ଟାଙ୍କି କେଉଁଠି ବି ବନ୍ଦ ନାହିଁ। ସବୁଠାରେ ଖୋଲା ଅଛି। ମୁଁ ସ୍ଥିତି ଉପରେ ନଜର ରଖିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। କୌଣସି ଟାଙ୍କି ବନ୍ଦ ପାଇଁ ନିର୍ଦ୍ଦେଶ ଯୋଗାଣ ବିଭାଗ ପକ୍ଷରୁ ହୋଇନାହିଁ। ଆବଶ୍ୟକୀୟଙ୍କୁ ତେଲ ମିଳିବ। କିନ୍ତୁ ଭବିଷ୍ୟତରେ ତେଲ ସଂକଟ ଯେପରି ନହୁଏ ତେଣୁ ଏଥିପ୍ରତି ଏବେଠାରୁ ଆମକୁ ନିୟନ୍ତ୍ରଣ କରିବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ଭୁଲ୍ ବୁଝିବା ଉଚିତ୍ ନୁହେଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପେଟ୍ରୋଲ ବ୍ୟବହାରରେ ନିୟନ୍ତ୍ରଣ ଆଣିବାକୁ ହେବ। ଆଗକୁ ହୁଏତ ପେଟ୍ରୋଲ ସମସ୍ୟା ଆସିପାରେ ଧୀରେ ଧୀରେ ଦର୍ ବୃଦ୍ଧି ପାଇପାରେ। ଗରିବ ଲୋକେ କେମିତି ପ୍ରଭାବିତ ହେବେ ନାହିଁ ତାକୁ ଧ୍ୟାନ ଦିଆଯାଇ ସରକାର ନିଜେ ଅର୍ଥ ବହନ କରୁଛନ୍ତି। ଦେଶର ଅର୍ଥ ନୀତିକୁ ସଜାଡ଼ିବା ପ୍ରତି ଧ୍ୟାନ ଦିଆଯାଉଛି।

କେତେକ ସ୍ଥାନରେ ପରିବହନ ଓ ଯୋଗାଣ ସମସ୍ୟା କାରଣରୁ ସାମୟିକ ଅସୁବିଧା ହୋଇଥିବା କୁହାଯାଉଛି। ଖୁବ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ସରକାର ପକ୍ଷରୁ ଆଶ୍ୱାସନ ଦିଆଯାଇଛି । ତଥାପି ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଓ ଯୋଗାଣ ନେଇ ଅନିଶ୍ଚିତତା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି । ଏବେ ସମସ୍ତଙ୍କ ନଜର ସରକାର ଓ ତୈଳ କମ୍ପାନୀଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ।