ବାବ୍ରି ମସଜିଦ୍‌ ନିର୍ମାଣ ଘୋଷଣା କରିଥିଲେ, ଟିଏମସି ହୁମାୟୁଁ କବୀରଙ୍କୁ ଦଳରୁ ବହିଷ୍କୃତ କଲା

by newsroom DEC-04-2025 1:09 PM IST in ଦେଶ ବିଦେଶ

ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁଁ କବୀରଙ୍କୁ ପାର୍ଟିରୁ ନିଲମ୍ବନ କରାଯାଇଛି। ସେ ନିକଟରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ ଜିଲ୍ଲାରେ ବାବ୍ରି ମସଜିଦ୍ ନିର୍ମାଣ କରିବାର ଘୋଷଣା କରିଥିଲେ। ତାଙ୍କର ଏହି ନିଷ୍ପତ୍ତିକୁ ନେଇ TMC ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛି। ବିବାଦୀୟ ଘୋଷଣା କରି ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ ତୃଣମୂଳ କଂଗ୍ରେସ (TMC) ମୁର୍ଶିଦାବାଦ୍ ଜିଲ୍ଲାର ଭରତପୁର ବିଧାୟକ ହୁମାୟୁଁ କବୀରଙ୍କୁ ପାର୍ଟିରୁ ବହିଷ୍କାର କରିଛି। ସେ ମୁର୍ଶିଦାବାଦ୍‌ରେ ବାବ୍ରି ମସଜିଦ୍‌ର ପ୍ରତିକୃତି ନିର୍ମାଣ ଏବଂ ଡିସେମ୍ବର ୬ ତାରିଖରେ ଏହାର ଶିଳାନ୍ୟାସ କରିବାକୁ ଘୋଷଣା କରିଥିଲେ। ବିଧାୟକଙ୍କ ବିରୋଧରେ TMC କଡ଼ା ପଦକ୍ଷେପ ଗ୍ରହଣ କରିଛି ।

କୋଲକାତାର ମେୟର ତଥା ବରିଷ୍ଠ TMC ନେତା ଫିରହାଦ୍ ହକିମ୍ ଏହି ବହିଷ୍କାର ଘୋଷଣା କରିଛନ୍ତି ଏବଂ ବିଧାୟକ କବୀରଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇଛନ୍ତି।  “ହୁମାୟୁଁ କବୀର ବାବ୍ରି ମସଜିଦ୍ ତିଆରି କରିବାକୁ କାହିଁକି ଚାହୁଁଛନ୍ତି? ଯଦି ତାଙ୍କ ପାଖରେ ଅଧିକ ଅର୍ଥ ଥିଲା, ତେବେ ସେ ଅନ୍ୟ କୌଣସି ବିକାଶମୂଳକ କାର୍ଯ୍ୟ କାହିଁକି କଲେ ନାହିଁ? ଆମେ ବିଶ୍ୱାସ କରୁଛୁ ଯେ ହୁମାୟୁଁ କବୀର ବିଭାଜନକାରୀ ରାଜନୀତିରେ ଜଡ଼ିତ ହେଉଛନ୍ତି, ଯାହାକି ବିଜେପିର ରଣନୀତି ସହିତ ସମାନ।”  ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରେଜିନଗରରେ ରହୁଥିବା ଏହି ବିଧାୟକ ଜାଣିଶୁଣି ବେଲଡାଙ୍ଗା ଅଞ୍ଚଳରେ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ TMC ସାମ୍ପ୍ରଦାୟିକ ସଦ୍‌ଭାବନାକୁ ଭାଙ୍ଗୁଥିବା ଏପରି କୌଣସି ବୟାନକୁ ବରଦାସ୍ତ କରିବ ନାହିଁ।

ପାର୍ଟିରୁ ବହିଷ୍କୃତ ହେବା ପରେ ହୁମାୟୁଁ କବୀର ମଧ୍ୟ ପାଲଟା ଜବାବ ଦେଇ ଖୁବ୍ ଶୀଘ୍ର ଏକ ନୂଆ ରାଜନୈତିକ ଦଳ ଗଠନ କରିବାର ଧମକ ଦେଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ଉଭୟ TMC ଓ BJP ବିରୁଦ୍ଧରେ ଲଢ଼ିବାକୁ ଚେତାବନୀ ଦେଇଛନ୍ତି। ଏହି ଘଟଣା ଯୋଗୁଁ ପଶ୍ଚିମବଙ୍ଗ ରାଜନୀତିରେ ଉତ୍ତେଜନା ବଢ଼ିଯାଇଛି।