ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ ହୋଇଥିବା ନେଇ ବଡ଼ ଖବର ସାମ୍ନାକୁ ଆସିଛି। ‘ନ୍ୟୁୟର୍କ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ଇରାନର ଇସ୍ଲାମିକ୍ ରିଭଲ୍ୟୁଶନାରି ଗାର୍ଡ୍ସ କର୍ପ୍ସ (IRGC) ସହ ଜଡିତ ଏକ ପ୍ରଶିକ୍ଷିତ କମାଣ୍ଡର ଇଭାଙ୍କାଙ୍କୁ ଟାର୍ଗେଟ୍ କରିଥିଲା।
ରିପୋର୍ଟ ଅନୁସାରେ, ଇରାନୀ ନାଗରିକ ମହମ୍ମଦ ବାକର ସାଦ ଦାଉଦ ଅଲ-ସାଦି ନାମକ ଆତଙ୍କୀ ଇଭାଙ୍କାଙ୍କୁ ହତ୍ୟା କରିବାକୁ ଶପଥ ନେଇଥିଲା। ସେ ଇଭାଙ୍କା ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ଘରର ନକ୍ସା ମଧ୍ୟ ହାତରେ ରଖିଥିବା ଦାବି କରାଯାଇଛି।
ଖବର ଅନୁଯାୟୀ, ଅଲ-ସାଦି ଆମେରିକୀୟ ଆକ୍ରମଣରେ ନିହତ ହୋଇଥିବା ଇରାନୀ ସେନା କମାଣ୍ଡର Qasem Soleimaniଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଟ୍ରମ୍ପ ପରିବାରକୁ ଟାର୍ଗେଟ୍ କରିଥିଲା। ୬ ବର୍ଷ ପୂର୍ବେ ବାଗଦାଦରେ ଆମେରିକୀୟ ଏୟାର୍ଷ୍ଟ୍ରାଇକ୍ରେ ସୁଲେମାନିଙ୍କ ମୃତ୍ୟୁ ହୋଇଥିଲା। ଅଲ-ସାଦି ସୁଲେମାନିଙ୍କୁ ନିଜର ‘ଗୁରୁ’ ଭାବେ ମାନୁଥିବା କୁହାଯାଉଛି।
ୱାଶିଂଟନସ୍ଥିତ ଇରାକୀ ଦୂତାବାସର ପୂର୍ବତନ ଡେପୁଟି ମିଲିଟାରୀ ଆଟାଚେ ଇନ୍ତିଫାଧ କନବରଙ୍କ କହିବା ଅନୁଯାୟୀ, ସୁଲେମାନିଙ୍କ ମୃତ୍ୟୁ ପରେ ଅଲ-ସାଦି ଲୋକଙ୍କୁ କହୁଥିଲା— “ଆମକୁ ଇଭାଙ୍କାଙ୍କୁ ମାରିବାକୁ ପଡିବ, ଯାହାଦ୍ୱାରା ଟ୍ରମ୍ପଙ୍କ ଘରକୁ ସେହିଭଳି ଜଳାଇ ଦିଆଯିବ, ଯେପରି ସେମାନେ ଆମ ଘରକୁ ଜଳାଇଥିଲେ।”
ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ, ଗିରଫ ଆତଙ୍କୀ ସୋସିଆଲ୍ ମିଡିଆରେ ଇଭାଙ୍କାଙ୍କ ଫ୍ଲୋରିଡା ଘରର ନକ୍ସା ପୋଷ୍ଟ କରିଥିଲା। ସେହି ପୋଷ୍ଟ ସହ ଏକ ଧମକପୂର୍ଣ୍ଣ ସନ୍ଦେଶ ମଧ୍ୟ ଥିଲା, ଯେଉଁଥିରେ ଲେଖାଯାଇଥିଲା— “ଆମେରିକୀୟମାନେ ଏହି ଚିତ୍ରକୁ ଦେଖନ୍ତୁ ଏବଂ ବୁଝନ୍ତୁ, ତୁମ ମହଲ କିମ୍ବା ସିକ୍ରେଟ୍ ସର୍ଭିସ କେହି ତୁମକୁ ରକ୍ଷା କରିପାରିବ ନାହିଁ। ଆମେ ବର୍ତ୍ତମାନ ନଜରଦାରି ଓ ବିଶ୍ଳେଷଣ ପର୍ଯ୍ୟାୟରେ ଅଛୁ। ଆମର ପ୍ରତିଶୋଧ କେବଳ ସମୟର ଅପେକ୍ଷା।”
