‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

by newsroom OCT-14-2025 8:43 AM IST in ଦେଶ ବିଦେଶ

ନବସୃଜନକୁ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ଭାରତର ବଡ଼ ପଦକ୍ଷେପ ।  ବିକଶିତ ଭାରତ ବିଲ୍ଡାଥନ୍ 2025ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୧ କୋଟି ଛାତ୍ରଛାତ୍ରୀଙ୍କୁ ନବସୃଜନଶୀଳ ଚିନ୍ତାଧାରା ଅଭ୍ୟାସ କରିବାକୁ ପ୍ରେରଣା ଦେବ ଏହି ଅଭିଯାନ  । ଭୋକାଲ୍ ଫର୍ ଲୋକାଲ୍, ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ସମୃଦ୍ଧ ଭାରତକୁ ଗୁରୁତ୍ବ ଦେବ ।

‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’  ହେଉଛି ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ । ଏହି ବିଲ୍ଡାଥନରୁ ତିଆରି ହେଉଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ଆଗକୁ ନେଇ ଏହି ବିଲ୍ଡାଥନ୍ ୨୦୨୫କୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହା ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍ । ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏଠାରୁ ସୃଷ୍ଟି ହୋଇଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ।

ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଆମର ପ୍ରତିଭାବାନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଗଠନ ହେବ । ଆମର ଛାତ୍ରଛାତ୍ରୀମାନେ ସେମାନଙ୍କର ଚିନ୍ତାଧାରା, କଳ୍ପନା ଏବଂ ନବସୃଜନ ସହିତ ଭାରତ ତଥା ବିଶ୍ୱ ପାଇଁ ଇତିହାସ ଲେଖିବେ । ଏହି ଅବସରରେ ଶ୍ରୀ ପ୍ରଧାନ ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପାଠପଢାର ମନୋଭାବକୁ ପ୍ରଶଂସା କରିଥିଲେ । ସେହିପରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ଥିବା ନବସୃଜନର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ ।

ଏହି ଯୁବ ଉଦ୍ଭାବକମାନଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷା ମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀମାନଙ୍କର କୌତୁହଳ, ସୃଜନଶୀଳତା ଏବଂ ଉଦ୍ଭାବନ ଭାରତକୁ ଆଗକୁ ନେବ । ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ମାଧ୍ୟମରେ ଶିକ୍ଷା ମନ୍ତ୍ରଣାଳୟ ଦେଶର ଯୁବବର୍ଗଙ୍କୁ ଜାତୀୟ ବିକାଶର ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଦେବାର ଲକ୍ଷ୍ୟ ରଖିଛି ।ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଥିବା ‘ବିକଶିତ ଭାରତ ବିଲ୍ଡାଥନ୍ – ୨୦୨୫’ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା । ଏଥିରେ ଛାତ୍ରଛାତ୍ରୀମାନେ ‘ଭୋକାଲ୍ ଫର୍ ଲୋକାଲ’, ‘ଆତ୍ମନିର୍ଭର ଭାରତ’, ‘ସ୍ୱଦେଶୀ’, ଏବଂ ‘ସମୃଦ୍ଧି’ ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ ।