ବିଶ୍ୱର ପ୍ରମୁଖ ସଫ୍ଟୱେୟାର୍ କମ୍ପାନୀ ଓରାକଲ୍ କର୍ପୋରେସନ୍ ହଠାତ୍ ବଡ଼ ଧରଣର ଛଟେଇ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ପ୍ରାୟ ୨୦,୦୦୦ ରୁ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି, ଯାହା ତା’ର ମୋଟ କର୍ମଚାରୀଙ୍କର ପ୍ରାୟ ୧୮ ପ୍ରତିଶତ ଅଟେ। ମଙ୍ଗଳବାର ସକାଳୁ କର୍ମଚାରୀଙ୍କ ଇମେଲ୍ ବକ୍ସରେ ଲେଅଫ୍ ନୋଟିସ୍ ଆସିବା ଆରମ୍ଭ ହୋଇଛି।
ଓରାକଲର ମୋଟ କର୍ମଚାରୀ ସଂଖ୍ୟା ପ୍ରାୟ ୧,୬୨,୦୦୦। ଏହି ଲେଅଫ୍ ବିଶ୍ୱବ୍ୟାପୀ ହେବ ଏବଂ ଭାରତରେ ମଧ୍ୟ ପ୍ରଭାବ ପଡ଼ିଛି। କିଛି କର୍ମଚାରୀ ସିଷ୍ଟମ୍ ଲକ୍ ହୋଇଯାଇଥିବା ଏବଂ ହଠାତ୍ ଟର୍ମିନେସନ୍ ଇମେଲ୍ ପାଇଥିବା ରିପୋର୍ଟ ମିଳିଛି। ଭାରତରେ 12 ହଜାର କର୍ମଚାରୀ ଛଟେଇ ହେବେ ବୋଲି ଜଣାପଡିଛି ।
ଲେଅଫ୍ ଇମେଲରେ କୁହାଯାଇଛି — “କମ୍ପାନୀର ବର୍ତ୍ତମାନର ବ୍ୟବସାୟିକ ଆବଶ୍ୟକତା ବିଚାର କରି ଆପଣଙ୍କ ପଦବୀ ଅପ୍ରାସଙ୍ଗିକ ହୋଇଯାଇଛି।
କାହିଁକି ଏତେ ବଡ଼ ଲେଅଫ୍ ?
ମୁଖ୍ୟ କାରଣ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଡାଟା ସେଣ୍ଟର୍ ଏବଂ କ୍ଲାଉଡ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ପାଇଁ ବିରାଟ ଖର୍ଚ୍ଚ। ଓରାକଲ୍ ସ୍ୟାମ୍ ଆଲ୍ଟମ୍ୟାନ୍ଙ୍କ OpenAI ସହ ମିଳିତ ଭାବେ କାମ କରୁଛି ଏବଂ AI କ୍ଷମତା ବଢ଼ାଇବା ପାଇଁ ହଜାରେ କୋଟି ଟଙ୍କା ବିନିଯୋଗ କରୁଛି। ଏହି ଖର୍ଚ୍ଚ ପାଇଁ କମ୍ପାନୀ ବାହ୍ୟ ଫାଇନାନ୍ସିଂରେ ଅସୁବିଧା ଭୋଗୁଛି ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟ କଟକଣା ଲଗାଇଛନ୍ତି ।
ଫଳରେ ଓରାକଲ୍ ନିଜ ଭିତରୁ ଟଙ୍କା ବଞ୍ଚାଇବା ପାଇଁ ଲେଅଫ୍ କରୁଛି। କର୍ମଚାରୀ ସଂଖ୍ୟା କମ୍ କରିବା ଦ୍ୱାରା ପ୍ରାୟ ୮ ରୁ ୧୦ ବିଲିୟନ୍ ଡଲାର୍ ଫ୍ରି କ୍ୟାସ୍ ଫ୍ଲୋ ସୃଷ୍ଟି ହୋଇପାରିବ ବୋଲି ଅନୁମାନ କରାଯାଉଛି। ଏହା ଆଇଟି କ୍ଷେତ୍ରରେ ଏକ ବଡ଼ ଲେଅଫ୍ ରାଉଣ୍ଡ୍ ହେବ ଏବଂ ଓରାକଲ ଇତିହାସରେ ସବୁଠାରୁ ବଡ଼ କର୍ମଚାରୀ ଛଟେଇ ହୋଇପାରେ।
କମ୍ପାନୀର ସେୟାର୍ ମୂଲ୍ୟ ଏହି ବର୍ଷ ପ୍ରାୟ ୨୭ ପ୍ରତିଶତ କମିଛି ଏବଂ ବିନିଯୋଗକାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତଥାପି ଲେଅଫ୍ ଖବର ପରେ ସେୟାର୍ କିଛି ପରିମାଣରେ ଉଠିଛି। ଓରାକଲ୍ ଏପର୍ଯ୍ୟନ୍ତ ଏହି ଲେଅଫ୍ ସମ୍ପର୍କରେ ଆନୁଷ୍ଠାନିକ ଭାବେ ପୂର୍ଣ୍ଣ ସଂଖ୍ୟା ଘୋଷଣା କରିନାହିଁ। କିନ୍ତୁ କର୍ମଚାରୀଙ୍କ ରିପୋର୍ଟ ଏବଂ ଆନ୍ତର୍ଜାତୀୟ ମିଡିଆ ଅନୁଯାୟୀ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।










