ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଖରାଦିନର ତାତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ରିଲିଫ୍ ଘୋଷଣା କରିଛନ୍ତି। ବିଦ୍ୟୁତ୍ ବିଲ୍ ବାକି ଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ କୌଣସି ଘରୋଇ ସଂଯୋଗ କଟାଯିବ ନାହିଁ। ମୌସୁମୀ ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ ରହିବ। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଦିନ ଶକ୍ତି ବିଭାଗ ଓ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସ୍କମ୍) କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କ ଅସୁବିଧା ଦୃଷ୍ଟିରୁ ବିଲ୍ ବାକି ଥିଲେ ବି ଲାଇନ୍ କଟାଯିବ ନାହିଁ। ଉପଭୋକ୍ତାମାନେ ବିଲ୍ ପରିଶୋଧ କରିବା ଜାରି ରଖିବେ, କିନ୍ତୁ ସଂଯୋଗ କଟାଯିବ ନାହିଁ। ଏହା ସହିତ ଉପମୁଖ୍ୟମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କୌଣସି କାରଣରୁ ନିର୍ଦ୍ଧାରିତ ବିଦ୍ୟୁତ୍ କଟ୍ କରାଯିବ, ତେବେ ତାହା ପୂର୍ବରୁ ଏସ୍ଏମ୍ଏସ୍ ମାଧ୍ୟମରେ ଉପଭୋକ୍ତାଙ୍କୁ ଆଲର୍ଟ କରିବା ବାଧ୍ୟତାମୂଳକ ହେବ।
ଏହା ସହିତ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ମଧ୍ୟ ସୂଚନା ଦିଆଯିବ। ଅନ୍ୟଥା କୌଣସି ଅଘୋଷିତ ବିଦ୍ୟୁତ୍ କାଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ରିଲିଫ୍। ବର୍ତ୍ତମାନ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ୁଥିବାରୁ ଏହି ନିର୍ଦ୍ଦେଶ ଜନସାଧାରଣଙ୍କ ପାଇଁ ବହୁତ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।










