Fly91 ଏୟାରଲାଇନ୍ସର ଏକ ଫ୍ଲାଇଟ୍ ହାଇଦ୍ରାବାଦରୁ ହୁଵଲୀ ଯାତ୍ରା କରୁଥିବା ସମୟରେ ମଝି ଆକାଶରେ ଏକ ଭୟଙ୍କର ଘଟଣା ଘଟିଛି। ବିମାନଟି ହଠାତ ଥରିବାକୁ ଆରମ୍ଭ କରିବାରୁ ଯାତ୍ରୀମାନେ ବିକଳରେ କାନ୍ଦିବାକୁ ଆରମ୍ଭ କରିଥିଲେ ।
ହଠାତ୍ ଟେକ୍ନିକାଲ୍ ଫଲ୍ଟ୍ ହେବାରୁ ପାଇଲଟଙ୍କୁ ଲ୍ୟାଣ୍ଡିଙ୍ଗ୍ ବାତିଲ କରିବାକୁ ପଡ଼ିଥିଲା। ପ୍ରାୟ ଚାରି ଘଣ୍ଟା ଧରି ଯାତ୍ରୀମାନେ ଆକାଶରେ ଭୟ ଓ ଆତଙ୍କରେ ରହିଥିଲେ। ଅନେକ ଯାତ୍ରୀ ପ୍ରାର୍ଥନା କରୁଥିବା ଏବଂ କାନ୍ଦି ଉଠୁଥିବା ଦୃଶ୍ୟ ଭିଡିଓରେ ଦେଖାଯାଇଛି।ଏନ୍ଡିଟିଭି ରିପୋର୍ଟ ଅନୁଯାୟୀ, ଫ୍ଲାଇଟ୍ ଆଇସି୩୪୦୧ (ଏଟିଆର୍ ଟର୍ବୋପ୍ରପ୍) ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଦିନ ୩ଟା ବେଳେ ଉଡ଼ାଣ କରିଥିଲା ଏବଂ ହୁବ୍ବଲ୍ଲିରେ ସନ୍ଧ୍ୟା ୪:୩୦ ବେଳେ ଲ୍ୟାଣ୍ଡିଙ୍ଗ୍ କରିବାର ଥିଲା।
ତେବେ ବିମାନଟି ହୁବ୍ବଲ୍ଲି ନିକଟରେ ପହଞ୍ଚିବା ପରେ ହଠାତ୍ ଟେକ୍ନିକାଲ୍ ସମସ୍ୟା ଦେଖାଦେବାରୁ ପାଇଲଟ୍ ଲ୍ୟାଣ୍ଡିଙ୍ଗ୍ ରଦ୍ଦ କରିଥିଲେ। ବିମାନଟି ପ୍ରାୟ ଚାରି ଘଣ୍ଟା ଧରି ଆକାଶରେ ଘୁରୁଥିଲା ଏବଂ ଶେଷରେ ବେଙ୍ଗାଳୁରୁ ବିମାନବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ୍ କରିଥିଲା।
ମଝି ଆକାଶରେ ଦୀର୍ଘ ସମୟ ଧରି ବିମାନଟି ଉଡ଼ିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। କେହି କେହି ନିଜର ପରିବାରକୁ ଶେଷ ମେସେଜ୍ ପଠାଉଥିଲେ ଏବଂ ନିଜ ଜୀବନ ପାଇଁ ଚିନ୍ତା କରୁଥିଲେ। ଏକ ଭିଡିଓରେ ଜଣେ ମହିଳା ହାତ ଯୋଡ଼ି ପ୍ରାର୍ଥନା କରୁଥିବା ଏବଂ ଆଖିରୁ ଲୁହ ଗଡ଼ାଉଥିବା ଦେଖାଯାଇଛି। ଅନେକ ଯାତ୍ରୀ ଏହି ଘଟଣାରେ ମାନସିକ ଭାବେ ଗଭୀର ଆଘାତ ପାଇଛନ୍ତି।
ଯାତ୍ରୀଙ୍କ ପରିବାର ସଦସ୍ୟମାନେ ବିମାନବନ୍ଦରରେ ଅପେକ୍ଷା କରୁଥିବା ସମୟରେ ଏୟାରଲାଇନ୍ସ ବିରୋଧରେ ବିରକ୍ତି ପ୍ରକାଶ କରିଛନ୍ତି। ସୌଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟିନଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏୟାରଲାଇନ୍ସ ପକ୍ଷରୁ ଏ ବିଷୟରେ ଆଉ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଏଭଳି ଘଟଣା ବିମାନ ଯାତ୍ରାର ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛି।



/odishatv/media/post_attachments/uploadimage/library/16_9/16_9_0/recent_photo_1742107207.jpg?w=640&resize=640,360&ssl=1)






