ପ୍ରବଳ ତାତି ଭିତରେ ଆଶ୍ବସ୍ତିକର ଖବର, ଜୁନ୍‌ ୧୧ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

by newsroom MAY-25-2026 5:33 AM IST in ଆଜିର ପାଗ

ପ୍ରବଳ ତାତି ଭିତରେ ମିଳିଲା ଆଶ୍ବସ୍ତିକର ଖବର। ମୌସୁମୀକୁ ନେଇ ଆସିଲା ବଡ଼ ଖବର। ବର୍ତ୍ତମାନ ଗତିପଥ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୭ରୁ ୧୧ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଶ୍ରୀ ପଶୁପାଳକ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନର ଠିକ୍ ପୂର୍ବରୁ ସ୍ଥଳଭାଗକୁ ଦକ୍ଷିଣା ପବନ ପ୍ରବାହ ଶକ୍ତିଶାଳୀ ହେବ।

ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ତୀବ୍ର ଗତିରେ ବଢ଼ିବ। କ୍ରମାଗତ ଭାବେ ଘନ ମେଘଖଣ୍ଡ ସୃଷ୍ଟି ହେବା ସହିତ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ବାୟୁ ଜୁନ୍ ଦ୍ୱିତୀୟ ସପ୍ତାହରେ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଯିବା ସମ୍ଭାବନା ରହିଛି। ଏହାଦ୍ୱାରା ଦିନ ତାପମାତ୍ରା କମିଯିବ। ସାଧାରଣତଃ ଉପକୂଳ ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩୪ରୁ ୩୭ ଡିଗ୍ରୀ ମଧ୍ୟରେ ସ୍ଥିର ରହିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତ ମିଳିବ। ମେଘୁଆ ଆକାଶ ରହିବ ଏବଂ ସମୟାନୁବର୍ତ୍ତୀ ସଙ୍ଗଠିତ ମୌସୁମୀ ବର୍ଷା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅପରପକ୍ଷେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗର କିଛି ଅଂଶ, କୋମୋରିନ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ସହିତ ଆରବ ସାଗର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି।