“ମୁଁ ମୋଦିଙ୍କୁ ଭଲ ପାଏ…”, ଫୋନ୍ ରିସିଭ୍ ହେଉ ହେଉ ପ୍ରଶଂସାରେ ପୋତିଲେ ଟ୍ରମ୍ପ

by newsroom MAY-25-2026 6:29 AM IST in ଦେଶ ବିଦେଶ

ଚାଲିଥିଲା ଲାଇଭ୍ ଇଭେଣ୍ଟ । ଫୋନ୍ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିଲେ । କହିଲେ, “ଆଇ ଲଭ୍ ପ୍ରାଇମିନିଷ୍ଟର ମୋଦି”। “ଆଇ ଲଭ୍ ଇଣ୍ଡିଆ”। ଦିଲ୍ଲୀରେ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ଯେତେବେଳେ ଲାଇଭ୍ କଲ୍ ମାଧ୍ୟମରେ ଯୋଡି ହୋଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ। କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ, “ମୁଁ ମୋଦୀଙ୍କୁ ଭଲ ପାଏ । ଯାହା ପରେ କରତାଳିରେ ଫାଟି ପଡିଥିଲା ଇଭେଣ୍ଟ ।

ରବିବାର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଭାରତ ଗସ୍ତ ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କୁ କଲ୍ ଲାଗାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ “ବନ୍ଧୁ” ଭାବରେ ବର୍ଣ୍ଣନା କରି ଟ୍ରମ୍ପ ଦୃଢ଼ ଭାବରେ କହିଥିଲେ ଯେ ୱାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କ “ଏତେ ନିକଟତର କେବେ ହୋଇନଥିଲା”।

ଶହ ଶହ ଲୋକଙ୍କୁ ସ୍ପିକରଫୋନ୍ ମାଧ୍ୟମରେ ଭାଷଣ ଦେଇ ଟ୍ରମ୍ପ କହିଥିଲେ, “ମୁଁ ଭାରତକୁ ଭଲ ପାଏ”, “ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଏ। ମୋଦି ମହାନ। ସେ ମୋର ବନ୍ଧୁ, ଏବଂ ମୁଁ ଆଜି ସନ୍ଧ୍ୟାରେ ସମସ୍ତଙ୍କୁ ଏକ ବହୁତ ଶୁଭ ସନ୍ଧ୍ୟା କହିବାକୁ ଚାହୁଁଛି ଏବଂ ମୁଁ କେବଳ କହିବାକୁ ଚାହୁଁଛି, ଆପଣମାନେ ମହାନ। ଆମେ ଆଗରୁ କେବେ ଭାରତର ଏତେ ନିକଟତର ହୋଇନାହୁଁ, ଏବଂ ଭାରତ ମୋ ଉପରେ ଏବଂ ଆମ ଦେଶ ଉପରେ ୧୦୦% ଭରସା କରିପାରିବ।”

ଟ୍ରମ୍ପ ଆହୁରି ମଧ୍ୟ ଆମେରିକାର ଅର୍ଥନୀତିର ଶକ୍ତି ଉପରେ ଆଲୋକପାତ କରିଥିଲେ ଏବଂ ଭାରତକୁ ସମର୍ଥନ ପୁନର୍ବାର ଦୋହରାଇଥିଲେ। ଟ୍ରମ୍ପ କହିଥିଲେ, “ଯଦି ସେମାନଙ୍କୁ କେବେ ସାହାଯ୍ୟର ଆବଶ୍ୟକତା ପଡ଼େ, ସେମାନେ ଜାଣନ୍ତି ଯେ ସେମାନେ କାହାକୁ ଡାକିବେ। ସେମାନେ ଏଠାରେ ଡାକୁଛନ୍ତି। ଆମେ ସାହାଯ୍ୟ କରୁଛୁ। ଆମେ ରେକର୍ଡ ସ୍ଥାପନ କରୁଛୁ। ଆମର ଏକ ରେକର୍ଡ ଅର୍ଥନୀତି, ଏକ ରେକର୍ଡ ଷ୍ଟକ୍ ବଜାର ଏବଂ ଭାରତ ଯେବେ ଯାହା ଚାହୁଁଛି…ତାହା ହେଉଛି ବୋଲି ଦର୍ଶାଇଛନ୍ତି ଟ୍ରମ୍ପ । ଏଥିସହିତ ଟ୍ରମ୍ପ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ।