ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର; ଗତ ୧୦ ଦିନ ଭିତରେ ୫ ଏନକାଉଣ୍ଟର କରି ଚର୍ଚ୍ଚାରେ ପୋଲିସ

by newsroom MAY-26-2026 4:20 AM IST in ଅପରାଧ

ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର । ପୋଲିସ ବିଗତ କିଛି ଦିନ ହେବ ଏନକାଉଣ୍ଟର ଜାରି ରଖିଛି । ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ଏନକାଉଣ୍ଟର କରିଛି । ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସର ସ୍ୱତନ୍ତ୍ର ଟିମ ରାଜସ୍ଥାନରୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ଆସୁଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ପୋଲିସ ଦୁଇଜଣଙ୍କୁ ଏନକାଉଣ୍ଟର କରିଥିଲା ।

ବରଗଡ଼ ଥାନା ନୂଆ ଗାଁ ର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳି ଥାନା ସିକିରୀ ଗାଁ ପାଢ଼ୀ ସାହିର ସରୋଜ ପଣ୍ଡା ଓରଫ ଭିକିକୁ ପୋଲିସ ଏନକାଉଣ୍ଟର କରିଛି । ସରୋଜର ବାମ ଗୋଡ଼ରେ ଓ ରଞ୍ଜନର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁକେଶ ସାହୁ, ସୁମିତ ସିଂ, ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ବ୍ରହ୍ମପୁରର ସ୍ୱତନ୍ତ୍ର ପୋଲିସ ଟିମ୍ ରାଜସ୍ଥାନର ଭିଲୁଆଡାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଥିବା ବେଳେ ବ୍ରହ୍ମପୁର ସହର ଉପକଣ୍ଠ ରତ୍ନପୁର ଠାରେ ରଞ୍ଜନ ଓ ସରୋଜ ପରିସ୍ରା କରିବାକୁ ଓହ୍ଲାଇ ଥିଲେ ।

ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ପିସ୍ତଲ ନେଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହେବାକୁ ଚେଷ୍ଟା କରିଥିଲେ ରଞ୍ଜନ ଓ ସରୋଜ । ଏହା ପରେ ପୋଲିସ ନିଜର ସୁରକ୍ଷା ପାଇଁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା । ପୂର୍ବରୁ ଭିନ୍ନ ଭିନ୍ନ ମାମଲାରେ ମୁକେଶ ସାହୁ ,ଦିପୁନା ନାୟକ ଓ ଜଗନ୍ନାଥ ସାହୁ ଆଦି ୩ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଆଉ ଦୁଇ ଅଭିଯୁକ୍ତ ତଥା ସୁପାରି କିଲରଙ୍କୁ ଗୁଳି କରିଛି ପୋଲିସ । ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗାଁର ସୁଧୀର ପାତ୍ରଙ୍କୁ ଗତ ୧୫ ତାରିଖ ସନ୍ଧ୍ୟାରେ ଦୁର୍ବୁତ୍ତ ମାନେ ଅପହରଣ କରିନେଇଥିଲେ । ଏପ୍ରିଲ ୨୨ ତାରିଖରେ ବୁଗୁଡ଼ା ଜଙ୍ଗଲ ଭିତରୁ ତାଙ୍କର ମୃତଦେହ ମିଳିଥିଲା । ଗତ ୧୦ ଦିନ ଭିତରେ ପୋଲିସ ୫ ଜଣଙ୍କୁ ଏନକାଉଣ୍ଟର କରିଛି ।