ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତ ୧୮ ପରଠାରୁ ଦୁର୍ବଳ ହୋଇଥିବା ମୌସୁମୀ ସକ୍ରିୟ ହେବ । ମୌସୁମୀ ବାୟୁ ସକ୍ରିୟ ହେବା ସହ ଆଗକୁ ବଢ଼ିବାରେ ଏହା ସାହାଯ୍ୟ କରିବ।
ସେପଟେ ଆରବ ସାଗରରେ ଲଘୁଚାପ ସମ୍ଭାବନା । IMD ପକ୍ଷରୁ ଉତ୍ତର ଭାରତ ମହାସାଗର ଅଞ୍ଚଳ ପାଇଁ ‘ସାଇକ୍ଲୋନ୍ ୱାଚ୍’ ଜାରି ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମୁଦ୍ରରେ ଲଘୁଚାପ ବା ଅବପାତ ସୃଷ୍ଟି ହେବାର ସ୍ୱଳ୍ପରୁ ମଧ୍ୟମ ଧରଣର ସମ୍ଭାବନା ରହିଛି। ବିଶେଷ କରି ଆରବ ସାଗର ଉପରେ ପାଣିପାଗ ବିଭାଗ ନଜର ରଖିଛି। ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।
ସେପଟେ ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ତାତିର ଦାଉରେ ଜଳୁଛି ପଶ୍ଚିମ ଓଡ଼ିଶା । କଲବଲ କରୁଛି ଉପକୂଳର ଅସହ୍ୟ ଗୁଳୁଗୁଳି । ସନ୍ତୁଳି ହେଉଛି ଜନଜୀବନ । ତେବେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି 5 ଦିନ ଏଭଳି ସ୍ଥିତି ରହିବ ବୋଲି କହିଛି ପାଣିପାଗ ବିଭାଗ ।
ଆସନ୍ତା 24 ଘଣ୍ଟାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼ ଜିଲ୍ଲାକୁ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ, ଯାଜପୁର, ବରଗଡ, ଅନୁଗୋଳ, ସୋନପୁର ଓ ବୌଦ୍ଧ 7ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ବଲାଙ୍ଗୀର ଓ ସମ୍ବଲପୁରରେ ଉଷ୍ମ ରାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଉପକୂଳ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ହେଉଥିବା ବେଳେ ଆଜି ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୋଳ, କଟକ, ନୟାଗଡ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ 50ରୁ 60 କି.ମି ବେଗରେ ଝଟକା ପବନ ହେବାର ସମ୍ଭାବନା ଥିବା ବେଳେ ଏହି 10ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହାସହ ଅବଶିଷ୍ଟ 17ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଏବଂ 30ରୁ 40 କିମି ଝଟକା ପବନ ହେବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।
