ଡିଜିଟାଲ ଯୁଗରେ ସୋସିଆଲ ମିଡିଆରେ କେତେବେଳେ କଣ ଭାଇରାଲ ହେବ, ତାହା କହିବା ମୁସ୍କିଲ। ମାତ୍ର ପାଞ୍ଚ ଦିନ ମଧ୍ୟରେ ସୋସିଆଲ ମିଡ଼ିଆରେ ତିଆରି ହୋଇଥିବା ଏକ ନୂଆ ରାଜନୈତିକ ଦଳ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଏହି ଭର୍ଚୁଆଲ୍ ପାର୍ଟିର ନାମ “କକରୋଚ୍ ଜନତା ପାର୍ଟି” (CJP)।
ସୋସିଆଲ ମିଡିଆରେ ବଢୁଛି ଲୋକପ୍ରିୟତା
ଅଭିଜିତ ଦିପକେ ନାମକ ଜଣେ ବ୍ୟକ୍ତି ଆମେରିକାର ବୋଷ୍ଟନରୁ ଏହି ପାର୍ଟିକୁ ସୋସିଆଲ ମିଡିଆରେ ଆରମ୍ଭ କରିଥିଲେ। ସରକାର ବିରୋଧୀ ଓ ମଜାଦାର ଭିଡିଓ ଯୋଗୁଁ ଏହା ଖୁବ ଶୀଘ୍ର ଭାଇରାଲ୍ ହୋଇଯାଇଛି। ଇନ୍ଷ୍ଟାଗ୍ରାମରେ ଏହାର ଫଲୋଅର୍ ସଂଖ୍ୟା ଅନେକ ବଡ଼ ଦଳକୁ ମଧ୍ୟ ପଛକୁ ପକାଇଦେଇଛି। ତେବେ ଆଜି ଆସନ୍ତୁ ଜାଣିବା ଏହି ଦଳ ନିର୍ବାଚନ ଲଢ଼ିବା ପାଇଁ କଣ ତାଙ୍କୁ ଏହି ଚିହ୍ନ ନିର୍ବାଚନୀ ଚିହ୍ନ ଭାବେ ସୀକୃତି ମିଳିବ?
ନିର୍ବାଚନ ଲଢିବାକୁ ଦରକାର ରେଜିଷ୍ଟ୍ରେସନ୍
କେବଳ ସୋସିଆଲ ମିଡିଆରେ ପପୁଲାର ହେଲେ ହେବ ନାହିଁ। ଯଦି ଏହି ପାର୍ଟି ଭବିଷ୍ୟତରେ ଭାରତରେ ନିର୍ବାଚନ ଲଢିବାକୁ ଚାହେଁ, ତେବେ ପ୍ରଥମେ ଏହାକୁ ଭାରତୀୟ ନିର୍ବାଚନ ଆୟୋଗ (ECI) ପାଖରେ ରେଜିଷ୍ଟର୍ କରିବାକୁ ପଡିବ। ଲୋକ ପ୍ରତିନିଧିତ୍ୱ ଆଇନ 1951 ର ଧାରା 29A ଅନୁଯାୟୀ ଏହି ପ୍ରକ୍ରିୟା କରାଯାଏ।
ନିର୍ବାଚନୀ ଚିହ୍ନ ପାଇବାରେ ଅଛି କଠିନ ନିୟମ
ଭାରତରେ ନିର୍ବାଚନୀ ଚିହ୍ନ ଦେବାର ଅଧିକାର କେବଳ ନିର୍ବାଚନ ଆୟୋଗଙ୍କ ପାଖରେ ରହିଛି।
ଚିହ୍ନ ଦୁଇ ପ୍ରକାରର ହୁଏ—
ରିଜର୍ଭ୍ ସିମ୍ବଲ୍ – ବଡ଼ ଦଳମାନଙ୍କ ପାଇଁ, ଯେପରିକି ପଦ୍ମ କିମ୍ବା ଝାଡୁ।
ଫ୍ରି ସିମ୍ବଲ୍ – ନୂଆ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ।
ଫ୍ରି ସିମ୍ବଲ୍ ତାଲିକାରେ ତାଲା-ଚାବି, ଲ୍ୟାପଟପ୍, CCTV କ୍ୟାମେରା, ନେଲ୍ କଟର୍ ପରି ଅନେକ ଚିହ୍ନ ଅଛି।
କାହିଁକି ମିଳିବ ନାହିଁ ‘କକରୋଚ୍’ ଚିହ୍ନ?
ନୂଆ ଦଳ ନିଜ ପସନ୍ଦର ୩ଟି ଚିହ୍ନ ପ୍ରସ୍ତାବ ଦେଇପାରେ। କିନ୍ତୁ 1968 ର ନିୟମ ଅନୁଯାୟୀ ନୂଆ ନିର୍ବାଚନୀ ଚିହ୍ନ କୌଣସି ପଶୁ କିମ୍ବା ପକ୍ଷୀ ଆକୃତିର ହୋଇପାରିବ ନାହିଁ। ଯେହେତୁ କକରୋଚ୍ ଏକ ଜୀବ, ତେଣୁ ଏହି ପାର୍ଟିକୁ “କକରୋଚ୍” ଚିହ୍ନ ମିଳିବା ଅତ୍ୟନ୍ତ କଷ୍ଟକର।
ଏହି ନିୟମ କାହିଁକି ଆଣାଯାଇଥିଲା?
1991 ପରଠାରୁ ପଶୁ-ପକ୍ଷୀ ଭିତ୍ତିକ ନୂଆ ଚିହ୍ନ ଦେବା ଉପରେ କଡା ନିୟମ ଲାଗୁ ହୋଇଛି। ପଶୁ ଅଧିକାର ସଂଗଠନମାନେ ଅଭିଯୋଗ କରିଥିଲେ ଯେ, ନିର୍ବାଚନୀ ପ୍ରଚାର ସମୟରେ ପଶୁମାନଙ୍କୁ ଅତ୍ୟାଚାର କରାଯାଉଛି। ପରେ ନିର୍ବାଚନ ଆୟୋଗ ପଶୁ ବ୍ୟବହାର ଉପରେ ରୋକ୍ ଲଗାଇଥିଲେ।
ମୋବାଇଲ୍ ଫୋନ୍ ଚିହ୍ନ ମିଳିବା ମଧ୍ୟ କଷ୍ଟକର
ଏହି ପାର୍ଟି ମୋବାଇଲ୍ ଫୋନ୍କୁ ନିର୍ବାଚନୀ ଚିହ୍ନ କରିବାକୁ ଇଚ୍ଛା ଜଣାଇଛି। କିନ୍ତୁ ନିର୍ବାଚନ ଆୟୋଗର ଫ୍ରି ସିମ୍ବଲ୍ ତାଲିକାରେ ମୋବାଇଲ୍ ଫୋନ୍ ନାହିଁ। ସେଠାରେ ଲ୍ୟାଣ୍ଡଲାଇନ୍ ଫୋନ୍ ଓ ମୋବାଇଲ୍ ଚାର୍ଜର୍ ଥିଲେ ମଧ୍ୟ ମୋବାଇଲ୍ ଫୋନ୍ ଚିହ୍ନ ନାହିଁ।
ସେହିପରି, ସୋସିଆଲ ମିଡିଆରେ ଭାଇରାଲ୍ ହେବା ଯେତେ ସହଜ, ଭାରତର ଆସଲ ରାଜନୀତିରେ ପ୍ରବେଶ କରିବା ଓ ପସନ୍ଦର ନିର୍ବାଚନୀ ଚିହ୍ନ ପାଇବା ସେତେ କଷ୍ଟକର।
