ମେ’ ୩୦ରୁ ଓଡ଼ିଶାରେ SIR ଅଭିଯାନ; ସବୁ ଜିଲ୍ଲାରେ ଖୋଲିବ…

by newsroom MAY-22-2026 10:44 AM IST in ବଡ଼ ଖବର

ଓଡିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନ ମେ’ ୩୦ ତାରିଖରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବାକୁ ନିର୍ବାଚନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କୁ ଏନେଇ ଚିଠି ଲେଖିଛନ୍ତି । ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ଏହି ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ ଏସଆଇଆର ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ସହଯୋଗ ମଧ୍ୟ ମିଳିବ । ମେ’ ୨୫ ତାରିଖ ଭିତରେ ହେଲ୍ପଡେସ୍କ ସ୍ଥାପନ ଓ କାର୍ଯ୍ୟକ୍ଷମତା ସମ୍ପର୍କିତ ରିପୋର୍ଟ ପଠାଇବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ହେଲ୍ପଡେସ୍କରେ ଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ମଧ୍ୟ ରଖାଯିବ । ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଓ ECINet ଆପ୍ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇବାକୁ କୁହାଯାଇଛି ।