୨୧ ମେ’ରେ ସାରା ବିଶ୍ୱରେ International Tea Day ପାଳନ କରାଯାଏ। ଭାରତରେ ସକାଳର ଆରମ୍ଭରୁ ସନ୍ଧ୍ୟାର କ୍ଲାନ୍ତି ଦୂର କରିବା ପର୍ଯ୍ୟନ୍ତ ଚା’ ଲୋକଙ୍କ ଜୀବନର ଅଂଶ ହୋଇ ରହିଛି। ଏହି ଅବସରରେ ଜାତିସଂଘର ସଂସ୍ଥା Food and Agriculture Organization (FAO) ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛି।
ଏହି ବର୍ଷର ଥିମ୍ “Fostering Growth and Inclusion” ରଖାଯାଇଛି। ଏହାର ଲକ୍ଷ୍ୟ ହେଉଛି ଚା’ ଶିଳ୍ପ ସହିତ ଜଡିତ ଚାଷୀ, ଶ୍ରମିକ ଓ ଛୋଟ ଉତ୍ପାଦକଙ୍କୁ ସଶକ୍ତ କରିବା। ଆସନ୍ତୁ ଆଜି ଜାଣିବା ଚା ର ଇତିହାସ କଣ ରହିଛି?
୫ ହଜାର ବର୍ଷ ପୁରୁଣା ଚା’ର ଇତିହାସ
ଚା’ର ଇତିହାସ ପ୍ରାୟ ୫ ହଜାର ବର୍ଷ ପୁରୁଣା ବୋଲି କୁହାଯାଏ। ଇତିହାସକାରମାନଙ୍କ କହିବା ଅନୁସାରେ, ଚୀନର ସମ୍ରାଟ Shen Nung ଗରମ ପାଣି ପିଉଥିବା ବେଳେ କିଛି ପତ୍ର ଗରମ ଥିବା ପାଣିରେ ପଡିଯାଇଥିଲା। ପାଣିର ରଙ୍ଗ ବଦଳିଯାଇଥିଲା ଏବଂ ଭଲ ସୁଗନ୍ଧ ଆସୁଥିଲା। ସେହି ପାଣି ପିଇବା ପରେ ସେ ତାଜା ଅନୁଭବ କରିଥିଲେ। ସେଠାରୁ ଚା’ର ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ।
ପରେ ଚୀନରେ ଚା’କୁ ଔଷଧ ଭାବେ ବ୍ୟବହାର କରାଯାଇଥିଲା। ଆରମ୍ଭରେ ଲୋକେ ଚା’ ପତ୍ର ଚୋବାଉଥିଲେ, ପରେ ସେଗୁଡିକୁ ଗରମ କରି ଚା’ ପ୍ରସ୍ତୁତ କରାଯାଇଲା। ଧୀରେ ଧୀରେ ଚା’ ଚୀନ ସଂସ୍କୃତିର ଅଂଶ ହୋଇଗଲା।
ବହୁ ବର୍ଷ ଧରି ଚା’ର ରହସ୍ୟ ଲୁଚାଇ ରଖିଥିଲା ଚୀନ
ଦୀର୍ଘ ସମୟ ପର୍ଯ୍ୟନ୍ତ ଚା’ କେବଳ ଚୀନରେ ସୀମିତ ଥିଲା। ଚୀନ ଚା’ ଚାଷ ଓ ପ୍ରସ୍ତୁତିର ପ୍ରକ୍ରିୟାକୁ ଦୁନିଆରୁ ଲୁଚାଇ ରଖିଥିଲା। ପରେ ବ୍ୟାପାର ମାର୍ଗ ମାଧ୍ୟମରେ ଚା’ ତିବ୍ବତ, ଜାପାନ ଓ ଏସିଆର ଅନ୍ୟାନ୍ୟ ଅଞ୍ଚଳକୁ ପହଞ୍ଚିଲା।
ବୌଦ୍ଧ ଭିକ୍ଷୁମାନେ ଦୀର୍ଘ ସମୟ ଧ୍ୟାନ କରିବା ପାଇଁ ଚା’ ପିଇବା ଆରମ୍ଭ କରିଥିଲେ। କୁହାଯାଏ ଯେ ଇଂରାଜମାନେ ଚୀନର ଚା’ ବ୍ୟବସାୟକୁ ବୁଝିବା ଏବଂ ଭାରତକୁ ଆଣିବା ପାଇଁ ଗୁପ୍ତଚରଙ୍କ ସହାୟତା ନେଇଥିଲେ। ପରେ ଚା’ ମଞ୍ଜି ଓ କିଛି ଶ୍ରମିକଙ୍କୁ ଭାରତକୁ ଆଣାଯାଇଥିଲା।
ଆସାମରେ ମିଳିଲା ଭାରତୀୟ ଚା’ର ପରିଚୟ
ଚୀନରୁ ଆଣାଯାଇଥିବା ଚା’ ଗଛ ଆସାମର ପରିବେଶରେ ଭଲ ଭାବେ ବଢ଼ି ପାରୁନଥିଲା। ସେତେବେଳେ ଇଂରାଜମାନେ ଆସାମରେ ଏକ ଜଙ୍ଗଲି ଗଛ ବିଷୟରେ ଜାଣିଲେ, ଯାହାର ପତ୍ର ଚା’ ପରି ଥିଲା ଏବଂ ସ୍ଥାନୀୟ ଲୋକମାନେ ତାହା ବ୍ୟବହାର କରୁଥିଲେ।
ତା’ପରେ ଆସାମରେ ଚା’ ଚାଷ ଆରମ୍ଭ ହେଲା। ୧୮୩୦ ଦଶକରେ ଇଂରେଜମାନେ ଆସାମ ଏବଂ ପରେ ଦାର୍ଜିଲିଙ୍ଗରେ ବଡ଼ ପରିମାଣରେ ଚା’ ବଗିଚା ତିଆରି କଲେ। ଧୀରେ ଧୀରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଚା’ ଉତ୍ପାଦକ ଦେଶମାନଙ୍କ ମଧ୍ୟରେ ଗଣନୀୟ ହେଲା।
୨୧ ମେ’ରେ କାହିଁକି ପାଳନ ହୁଏ ଇଣ୍ଟରନ୍ୟାସନାଲ ଟି ଡେ?
ଜାତିସଂଘ ମହାସଭା ୨୦୧୯ ମସିହାରେ ୨୧ ମେ’କୁ ଇଣ୍ଟରନ୍ୟାସନାଲ ଟି ଡେ ଭାବେ ଘୋଷଣା କରିଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଚା’ର ଆର୍ଥିକ ଓ ସାଂସ୍କୃତିକ ଗୁରୁତ୍ୱକୁ ସାରା ବିଶ୍ୱ ସମ୍ମୁଖରେ ଆଣିବା। ସେଥିସହ ଚା’ ଶିଳ୍ପ ସହିତ ଜଡିତ ଚାଷୀ ଓ ଶ୍ରମିକଙ୍କ ସ୍ଥିତି ସୁଧାରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
FAO ପ୍ରତିବର୍ଷ ଏହି ଦିନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରେ। ୨୦୨୬ ମସିହାରେ ମଧ୍ୟ ୨୧ ମେ’ରେ ଇଣ୍ଟରନ୍ୟାସନାଲ ଟି ଡେ ପାଳନ କରାଯିବ।
