ସଂସଦରେ ପୁଣି ଥରେ ଦେଖିବାକୁ ମିଳିଛି ହାଇ-ଭୋଲଟେଜ୍ ଡ୍ରାମା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରେ ତୀବ୍ର ବାକ୍-ଯୁଦ୍ଧ ହୋଇଛି। ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ ‘ଗଦ୍ଦାର’ ବା ‘ବେଇମାନ’ ଶବ୍ଦକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି।ସଂସଦରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ନୂଆ କଥା ନୁହେଁ, କିନ୍ତୁ ବ୍ୟକ୍ତିଗତ ଆକ୍ଷେପ ପ୍ରତିଆକ୍ଷେପ ପରିବେଶକୁ ଉଷ୍ମ କରିଦେଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ପୂର୍ବରୁ କଂଗ୍ରେସରେ ଥିଲେ ଏବଂ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ଜଣାପଡୁଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ।
ରାହୁଲ-ବିଟ୍ଟୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଜେପି ସମର୍ଥକମାନେ ବିଟ୍ଟୁଙ୍କୁ ଜଣେ ଦୃଢ଼ ନେତା ଭାବେ ଦର୍ଶାଉଥିବା ବେଳେ କଂଗ୍ରେସ ସମର୍ଥକମାନେ ତାଙ୍କୁ ଜଣେ ‘ଅବସରବାଦୀ’ ବୋଲି କହୁଛନ୍ତି।ବିଟ୍ଟୁଙ୍କ ଦଳ ପରିବର୍ତ୍ତନକୁ ରାହୁଲ ତାଙ୍କୁ ଗଦ୍ଦାର କହି କଟାକ୍ଷ କରିଥିଲେ। ଏହାର ଜବାବରେ ବିଟ୍ଟୁ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଏବଂ ଭାରତ ବିରୋଧୀ ବୟାନକୁ ଟାର୍ଗେଟ୍ କରିଥିଲେ। ସେ ସିଧାସଳଖ ରାହୁଲଙ୍କୁ ଦେଶ ବିରୋଧୀ କାମ କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା ଏବଂ ଉଭୟ ପକ୍ଷରୁ ‘ଗଦ୍ଦାର’ ଶବ୍ଦର ବ୍ୟବହାର କରାଯାଇଥିଲା।



















