କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ଆଜି PM ମୋଦୀଙ୍କ ସହ ଆଲୋଚନା

by newsroom MAY-23-2026 4:41 AM IST in ଦେଶ ବିଦେଶ

ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର (୨୩ ମଇ ୨୦୨୬) କୋଲକାତାରେ ପହଞ୍ଚିଛନ୍ତି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। କୋଲକାତାରୁ ସେ ନିଜ ଭାରତ ଯାତ୍ରା ଆରମ୍ଭ କରିଛନ୍ତି। ସନ୍ଧ୍ୟାରେ ସେ ଦିଲ୍ଲୀ ପହଞ୍ଚିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ। ଭାରତରେ ଆମେରିକାର ବିଶେଷ ଦୂତ Sergio Gor କହିଛନ୍ତି ଯେ, ରୁବିଓଙ୍କ ଏହି ଗସ୍ତ ସମୟରେ ବ୍ୟାପାର, ପ୍ରଯୁକ୍ତି, ରକ୍ଷା ଓ QUAD ଭଳି ମୁଖ୍ୟ ବିଷୟରେ ଆଲୋଚନା ହେବ।

ଭାରତ-ଆମେରିକା ସମ୍ପର୍କ ସୁଧାରିବା ଉଦ୍ଦେଶ୍ୟ
ଗତ ବର୍ଷରୁ ଭାରତ-ଆମେରିକା ସମ୍ପର୍କରେ କିଛି ବିବାଦ ଦେଖାଯାଇଥିଲା। ରୁବିଓଙ୍କ ଏହି ଭାରତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବା। ସେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ମଧ୍ୟ ଦ୍ୱିପକ୍ଷୀୟ ଆଲୋଚନା କରିବେ। ସେହିପରି, ନୂଆଦିଲ୍ଲୀରେ ହେବାକୁ ଥିବା QUAD ଦେଶମାନଙ୍କ ବିଦେଶ ମନ୍ତ୍ରୀ ସଭାରେ ମଧ୍ୟ ଯୋଗ ଦେବେ।

ଆଜି ମୋଦିଙ୍କ ସହ, କାଲି ଜୟଶଙ୍କରଙ୍କ ସହ ବୈଠକ
କୋଲକାତାର ଏକ କାର୍ଯ୍ୟକ୍ରମ ପରେ ରୁବିଓ ଦିଲ୍ଲୀ ଯିବେ ଏବଂ PM ମୋଦିଙ୍କ ସହ ଭେଟିବେ। ରବିବାର ସେ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ସେ ଆମେରିକୀୟ ଦୂତାବାସର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ସୋମବାର ସେ ଆଗ୍ରା ଓ ଜୟପୁର ଯାତ୍ରା କରିବେ। ତା’ପରେ ମଙ୍ଗଳବାର QUAD ବୈଠକ ପାଇଁ ପୁଣିଥରେ ଦିଲ୍ଲୀ ଫେରିବେ।

ବ୍ୟାପାର ଓ ଟେକ୍ନୋଲୋଜି ଉପରେ ଫୋକସ୍
ଅଧିକାରୀମାନଙ୍କ କହିବା ଅନୁସାରେ, ଜୟଶଙ୍କର ଓ ରୁବିଓଙ୍କ ଆଲୋଚନାରେ ଉର୍ଜା, ବ୍ୟାପାର, ପୁଞ୍ଜିନିବେଶ, ଟେକ୍ନୋଲୋଜି ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା ଭଳି ବିଷୟ ରହିବ। ପଶ୍ଚିମ ଏସିଆ ସଙ୍କଟ ଓ ତାହାର ଅର୍ଥନୈତିକ ପ୍ରଭାବ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ଟାରିଫ୍ ଓ H1B ଭିସାକୁ ନେଇ ବଢ଼ିଥିଲା ବିବାଦ
ଆମେରିକା ଦ୍ୱାରା ଭାରତ ଉପରେ ଟାରିଫ୍ ଲାଗୁ କରାଯାଇଥିବା ଓ H1B ଭିସା ଶୁଳ୍କ ବଢ଼ାଇବା ପରେ ଦୁଇ ଦେଶର ସମ୍ପର୍କରେ ବିବାଦ ବଢ଼ିଥିଲା। ଏହାସହ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ସଂଘର୍ଷକୁ ନେଇ କରିଥିବା କିଛି ଦାବିକୁ ଭାରତ ଖଣ୍ଡନ କରିଥିଲା। ତଥାପି, ଗତ କିଛି ମାସ ଧରି ଦୁଇ ଦେଶ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ମୋଦି-ଟ୍ରମ୍ପ ଫୋନ୍ ଯୋଗେ କଥାବାର୍ତ୍ତା
୧୪ ଏପ୍ରିଲରେ PM ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ୍ ଧରି ଫୋନ୍ ଆଲୋଚନା ହୋଇଥିଲା। ଏହି କଥାବାର୍ତ୍ତା ପରେ ମୋଦି କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ରଣନୀତିକ ସହଯୋଗକୁ ଆହୁରି ମଜବୁତ କରିବାକୁ ଉଭୟ ପକ୍ଷ ପ୍ରତିବଦ୍ଧ ଅଛନ୍ତି।