ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ୟାକ୍ସିୱେରେ ଚାଲୁଥିବା ସମୟରେ ସ୍ପାଇସ୍ଜେଟ୍ ବିମାନ ଆକାଶ ଏୟାର୍ଲାଇନ୍ସର ଏକ ବିମାନକୁ ଧକ୍କା ଦେଇଛି। ଏହି ଧକ୍କାରେ ସ୍ପାଇସ୍ଜେଟ୍ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି।
ସୂତ୍ର ଅନୁଯାୟୀ, ସ୍ପାଇସ୍ଜେଟ୍ ବିମାନଟି ଟ୍ୟାକ୍ସିୱେରେ ଗତି କରୁଥିବା ସମୟରେ ଆକାଶ ବିମାନର ପଛପଟକୁ ଧକ୍କା ଲାଗିଥିଲା। ଏହି ଅଘଟଣରେ ଦୁଇଟି ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି ଏବଂ ଉଭୟ ବିମାନକୁ ଗ୍ରାଉଣ୍ଡ୍ କରାଯାଇଛି। ଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ ବା କର୍ମଚାରୀ ଆହତ ହୋଇନାହାନ୍ତି। ସ୍ପାଇସ୍ଜେଟ୍ କର୍ତ୍ତୃପକ୍ଷ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ବିମାନଟିକୁ ତୁରନ୍ତ ସର୍ଭିସ୍ ବାହାରେ ରଖାଯାଇଛି ଏବଂ କ୍ଷତିର ପରିମାଣ ଯାଞ୍ଚ କରାଯାଉଛି।
ଆକାଶ ଏୟାର୍ଲାଇନ୍ସ ମଧ୍ୟ ତାଙ୍କ ବିମାନର କ୍ଷତି ଯାଞ୍ଚ କରୁଛି। ଏହି ଘଟଣା ଦିଲ୍ଲୀ ବିମାନବନ୍ଦରର ଗ୍ରାଉଣ୍ଡ୍ ସୁରକ୍ଷା ଏବଂ ବିମାନ ଚଳାଚଳ ପ୍ରକ୍ରିୟା ନେଇ ପୁନର୍ବାର ପ୍ରଶ୍ନ ଉଠାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏହି ମାମଲାର ତଦନ୍ତ କରୁଛନ୍ତି ଏବଂ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (ଡିଜିସିଏ)କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଏୟାର୍ଲାଇନ୍ସ ଏହି ଘଟଣାରେ କୌଣସି ଯାତ୍ରୀଙ୍କୁ ଅସୁବିଧାରେ ନପକାଇବାକୁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି। ତଥାପି ଏହି ଦୁର୍ଘଟଣା ବିମାନବନ୍ଦରର ଗ୍ରାଉଣ୍ଡ୍ ହ୍ୟାଣ୍ଡଲିଙ୍ଗ୍ ଏବଂ ସୁରକ୍ଷା ପ୍ରଣାଳୀର ଦୁର୍ବଳତାକୁ ପଦାରେ ପକାଇଛି।











