ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା

by newsroom MAY-26-2026 10:01 AM IST in ବଡ଼ ଖବର

ଆଜି ବିଜେପି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ। ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳୀୟ ସଦସ୍ୟ ଭାବେ ପ୍ରଥମେ ଗ୍ରହଣ କରାଯାଇଥିଲା। ଏହାପରେ ବିଜେପି ଉତ୍ତରୀୟ ଓ ଫୁଲତୋଡା ଦେଇ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଅରୁଣ ସିଂ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ।

ଦେବାଶିଷ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ଦେବାଶିଷ ବିଜେପିରେ ସାମିଲ ହେବା ପରେ କଟକ ରାଜନୀତି ସରଗରମ ହୋଇ ଉଠିଛି। କାରଣ ସେ କଟକ ଜିଲ୍ଲାର ବିଜେଡି ମଙ୍ଗ ଧରିଥିଲେ। ସେ ବିଜେପିକୁ ଆସିବା ପରେ କଟକ ବିଜେଡି ରାଜନୀତି କଣ ହେବ ସେ ନେଇ ଚର୍ଚ୍ଚା ଚାଲିଛି।

ଇସ୍ତଫା ଦେବା ସତ୍ତ୍ୱେ, ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଏବଂ କଟକ ଜିଲ୍ଲାର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ୨୦୦୯ ଓ ୨୦୧୪ରେ ବାରବାଟୀ-କଟକର ବିଧାୟକ ଥିଲେ ଦେବାଶିଷ । ୨୦୨୪ରେ ବିଜେଡି ଦେବାଶିଷଙ୍କୁ ରାଜ୍ୟସଭା ପଠାଇଥିଲା ।