ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ ହ୍ୱାଇଟ୍ ହାଉସ୍ ପାଖରେ ଏକ ଆତଙ୍କଜନକ ଘଟଣା ଘଟିଛି। ଗତ ମଧ୍ୟରାତ୍ରିରେ (ଏପ୍ରିଲ୍ ୫ ତାରିଖ ରବିବାର) ହ୍ୱାଇଟ୍ ହାଉସ୍ ଠାରୁ କିଛି ମିଟର୍ ଦୂରରେ ଥିବା ଲାଫାୟେଟ୍ ପାର୍କ ନିକଟରେ ଗୁଳି ଫୁଟିବା ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ ଭିତରେ ଉପସ୍ଥିତ ଥିଲେ।
ଯୁକ୍ତରାଷ୍ଟ୍ର ସିକ୍ରେଟ୍ ସର୍ଭିସ୍ ପକ୍ଷରୁ ଜଣାପଡ଼ିଛି ଯେ, ମଧ୍ୟରାତ୍ରି ପରେ ଲାଫାୟେଟ୍ ପାର୍କ ନିକଟରେ ଫାୟାରିଂ ହୋଇଥିବା ଖବର ପାଇ ତୁରନ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାର୍କ ଏବଂ ଆଖପାଖ ଅଞ୍ଚଳରେ ତଦନ୍ତ କରାଯିବାପରେ ଏକ ଅଜଣା ଯାନ ଓ ବ୍ୟକ୍ତିଙ୍କୁ ଖୋଜାଯାଉଛି। ତଥାପି ଏ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧକୁ ଧରିବାକୁ ସମର୍ଥ ହୋଇ ନାହାନ୍ତି। ଏହି ଗୁଳିମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ଏବଂ କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ।
ହ୍ୱାଇଟ୍ ହାଉସ୍ କାର୍ଯ୍ୟକ୍ରମ ସ୍ୱାଭାବିକ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସିକ୍ରେଟ୍ ସର୍ଭିସ୍ ସହ ମେଟ୍ରୋପଲିଟାନ୍ ପୋଲିସ୍ ଏବଂ ୟୁ.ଏସ୍. ପାର୍କ ପୋଲିସ୍ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି।ଏହି ଘଟଣା ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଆକ୍ରମଣ ନା କୌଣସି ବ୍ୟକ୍ତିଗତ ଘଟଣା ତାହା ସ୍ପଷ୍ଟ ହୋଇନାହିଁ। ଲାଫାୟେଟ୍ ପାର୍କ କିଛି ସପ୍ତାହ ଧରି ରେନୋଭେସନ୍ କାର୍ଯ୍ୟ ପାଇଁ ବନ୍ଦ ରଖାଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସପ୍ତାହାନ୍ତରେ ହ୍ୱାଇଟ୍ ହାଉସ୍ରେ ରହିଥିଲେ ଏବଂ ଆଜି ପରିବାର ସହ ଇଷ୍ଟର୍ ଡିନର୍ ଆୟୋଜନ କରୁଥିଲେ।
ହ୍ୱାଇଟ୍ ହାଉସ୍ ପକ୍ଷରୁ ଏ ଘଟଣା ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତଥାପି ଏହି ମଧ୍ୟରାତ୍ରି ଗୁଳିମାଡ଼ ଆମେରିକାର ସବୁଠାରୁ ସୁରକ୍ଷିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି। ସିକ୍ରେଟ୍ ସର୍ଭିସ୍ କହିଛି ଯେ, ହ୍ୱାଇଟ୍ ହାଉସ୍ କାର୍ଯ୍ୟକ୍ରମ ସ୍ୱାଭାବିକ ରହିଛି କିନ୍ତୁ ସୁରକ୍ଷା ସ୍ତର ବୃଦ୍ଧି କରାଯାଇଛି।ଏହି ଘଟଣା ବର୍ତ୍ତମାନ ଆନ୍ତର୍ଜାତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତଦନ୍ତର ଅଗ୍ରଗତି ଉପରେ ନଜର ରଖାଯାଉଛି।










